ବ୍ରିଟେନ ସୁପ୍ରିମକୋର୍ଟରେ ପଳାତକ ନୀରବ ମୋଦିର ଶେଷ ଯାଚିକା ଖାରଜ, ଭାରତ ପ୍ରତ୍ୟର୍ପଣ ରାସ୍ତା ସଫା

ନନ୍ଦିଘୋଷ ବ୍ୟୁରୋ: ଭାରତରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିର ପ୍ରତ୍ୟର୍ପଣର ରାସ୍ତା ସଫା ହୋଇଯାଇଛି । ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବାର ନିଷ୍ପତ୍ତି ବିରୋଧରେ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରୁ ଝଟକା ଲାଗିଛି । ବ୍ରିଟେନର ଶୀର୍ଷ ଅଦାଲତ ତାଙ୍କ ଅପିଲକୁ ଖାରଜ କରିଦେଇଛନ୍ତି । ନୀରବ ମୋଦି ପାଖରେ ପ୍ରତ୍ୟର୍ପଣକୁ ଟାଳିବା ପାଇଁ ଏହା ଶେଷ ବିକଳ୍ପ ଥିଲା । ଏବେ ଏହାପରେ ବ୍ରିଟେନରେ କୌଣସି ବିକଳ୍ପ ରହିଯାଇନି ଏବଂ ତାଙ୍କୁ ଭାରତ ଆସିବାକୁ ପଡ଼ିବ ।

ପ୍ରକାଶଯୋଗ୍ୟ, ଗତ ବର୍ଷ ଫେବ୍ରୁଆରୀରେ ୱେଷ୍ଟମିନିଷ୍ଟର ଜଜ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାର ଆଦେଶ ଶୁଣାଇଥିଲେ । ଅବଶ୍ୟ ପରେ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା । ଭାରତ ଦୀର୍ଘ ବର୍ଷ ହେବ ନୀରବ ମୋଦିଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ କରିଆସୁଛି । କିନ୍ତୁ ବ୍ରିଟେନର ଜେଲରେ ବନ୍ଦ ନୀରବ ମୋଦି ନିଜ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଭିନ୍ନ ଭିନ୍ନ ଦଲିଲ ଦେଉଛି । ପୂର୍ବରୁ ବ୍ରିଟେନରେ ତାଙ୍କ ଓକିଲ ଦଲିଲ ଦେଇଥିଲେ ଯେ ପଳାତକ ଆର୍ଥିକ ଅପରାଧୀ ଡିପ୍ରେସନର ଶିକାର ଅଛନ୍ତି ।

ସେ ଭାରତର ଜେଲରେ ଆତ୍ମହତ୍ୟା କରିପାରନ୍ତି । ଏହି ତର୍କ ଦେଇ ସେ ନୀରବ ମୋଦିକୁ ଭାରତ ପଠାଇବାର ନିଷ୍ପତ୍ତିକୁ ବିରୋଧ କରିଥିଲେ । ଅବଶ୍ୟ, ବ୍ରିଟେନର କୋର୍ଟ ସମ୍ପୂର୍ଣ୍ଣ ଶୁଣାଣି ପରେ ତାଙ୍କ ଯାଚିକା ଖାରଜ କରିଦେଇଥିଲେ । ସୂଚନାଯୋଗ୍ୟ, ସ୍ୱତନ୍ତ୍ର ପିଏମଏଲଏ କୋର୍ଟଙ୍କ ଦ୍ୱାରା ୨୦୧୯ରେ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ, ୨୦୧୯ ଅନୁସାରେ ନୀରବ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଥିଲା ।

ଏହାପରେ ସେ ଲଣ୍ଡନ ପଳାୟନ କରିଥିଲେ । ତିନି ବର୍ଷ ପୂର୍ବେ ନୀରବ ମୋଦିକୁ ବ୍ରିଟେନର ସ୍କଟଲ୍ୟାଣ୍ଡ ୟାର୍ଡ ପୋଲିସ ୧୩ ମାର୍ଚ୍ଚ ୨୦୧୯ରେ ଲଣ୍ଡନରୁ ଗିରଫ କରିଥିଲା, ଯାହାପରେ ସେ ସାଉଥ୍ ୱେଷ୍ଟ ଲଣ୍ଡନର ୱାଡ୍ସୱର୍ଥ ଜେଲରେ ବନ୍ଦ ରହିଛି । ପ୍ରକାଶଥାଉକି , ନୀରବ ମୋଦି ପିଏନବିରୁ ପ୍ରାୟ ୭ହଜାର କୋଟି ଟଙ୍କାର ଦୁର୍ନୀତି କରିଥିଲେ । ଯାହାପରେ ସେ ବିଦେଶ ପଳାୟନ କରିତିଲେ ।