କେରଳରେ ଭୟଙ୍କର ବନ୍ୟା, ୯ ମୃତ

ପ୍ରବଳ ବର୍ଷା ଓ ବନ୍ୟା ପରେ କେରଳରେ ଭୟାବହ ପରିସ୍ଥିତି । ଏବେ ବି ଜାରି ରହିଛି ବର୍ଷାର ତାଣ୍ଡବ । ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବାୟୁସେନାକୁ ଉଦ୍ଧାର କାର୍ଯ୍ୟରେ ନିେୟାଜିତ କରାଯାଇଛି ।

ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଅବିରାମ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଥୋଡୁପୁଝା, କୋକାୟାର, କୁଟ୍ଟିକାୟି ଆଦି ଅଞ୍ଚଳରେ ବ୍ୟାପକ ଭୂସ୍ଖଳନ ହେବାରୁ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।

ମୀନାଚାଲ, ମଣିମାଳା ଆଦି ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହଜାର ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରଯାଇଛି ।

ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାଂଶ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ସେପଟେ ପଥାମଥିଟ୍ଟା, କୋଟ୍ଟାୟାମ, ଏର୍ଣ୍ଣାକୁଲମ, ଇଡୁକି, ତ୍ରିଶୂର ଜିଲ୍ଲାକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଥିରୁବନନ୍ତପୁରମ, କୋଲମ, ଅଲାପୁଝା, ପଲକଡ, ମାଲପୁରମ, କୋଝିକୋଡ ଓ ଓ୍ବାୟାନାଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା 19 ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି । ୭ରୁ ଅଧିକ ଜିଲ୍ଲାରେ ଏହି ବିତ୍ପାତ ଚାଲିଥିବା ବେଳେ ସଡକ ପଥ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ରାଜସ୍ବ ମନ୍ତ୍ରୀ କେ. ରାଜନ ପ୍ରଭାବିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ।

Leave a Reply