କିଏ ନିଜ ଭୋଟ କଲା ନାକଚ; ରୋଚକ ମୋଡରେ ନିମାପଡ଼ା ଏନଏସି, ସମୀର ବାଉଳା

ନିମାପଡ଼ା: ନିଜ ଭୋଟକୁ କିଏ କଲା ନାକଚ ? ନିମାପଡା ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏନଏସିର ରାଜନୀତି ଏକ ରୋଚକ ମୋଡରେ ପହଞ୍ଚିଛି । ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛି, ତାକୁ ନେଇ ବିଜେପି ଶିବିରରେ ଚାଲିଛି ତନାଘନା । ଅନାସ୍ଥା କାଟ ଖାଇଯିବା ପରେ ବିଜେଡିରୁ ଯାଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ମଧ୍ୟ ବାଉଳା ଚାଉଳା ହେଉଛନ୍ତି ।

ବିଜେପି ସମର୍ଥିତ ଯେଉଁ ୮ଜଣ କାଉନସିଲର ଆଜି ଭୋଟ ଦେବାକୁ ଯାଇଥିଲେ ସମସ୍ତଙ୍କୁ ଗୋପ ବ୍ଲକର ବାଙ୍କେଶ୍ବର ମହାଦେବ ମନ୍ଦିରକୁ ଡାକି ସମୀର ଦାଶଙ୍କ ଲୋକମାନେ ପଚରା ଉଚରା କରିବାରେ ଲାଗିଛନ୍ତି । ଠାକୁରଙ୍କ ନିୟମ କରାଇ କିଏ ନାକଚ କରିଛି ଭୋଟ ବୋଲି ପଚାରୁଛନ୍ତି । ଏହା ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କିଏ ନାକଚ କରିଛି ତାହା ଜାଣିବା ସମ୍ଭବ ନୁହେଁ ।

ବିଜେଡିରେ ସମୀର ଥିବା ବେଳେ ଯେଉଁ କାଉନସିଲରମାନେ ଜିତିଥିଲେ, ସେମାନଙ୍କ ମଧ୍ୟରୁ ୫ଜଣ ସମୀର ଦାଶଙ୍କ ଖାସ ଲୋକ ବୋଲି କୁହାଯାଉଥିଲା । ହେଲେ ନିମାପଡା ଟିକେଟ ନପାଇବାରୁ ସମୀର ବିଜେପିକୁ ଡିଆଁ ମାରିଥିଲେ । ଏବେ ନିର୍ବାଚନ ପରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଯୋଗୁଁ ବିଜେଡିର ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିଲା । ବିଜେପି ସମର୍ଥିତ କାଉନସିଲର ଓ ସମୀରଙ୍କ ୫ ଜଣ ଅନୁଗତଙ୍କୁ ମିଶାଇଲେ ଅନାସ୍ଥା ସପକ୍ଷରେ ୮ ଜଣଙ୍କ ଭୋଟ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଆଜି ଭୋଟ ବେଳେ ୮ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୋଟ ନାକଚ କରିଦେଇଥିଲେ । ଫଳରେ ଅନାସ୍ଥା କାଏମ ରଖିବା ନିମନ୍ତେ ଆବଶ୍ୟକ ହେଉଥିବା ୮ ଜଣଙ୍କ ସମର୍ଥନ ମିଳିପାରି ନଥିଲା ଓ ଅନାସ୍ଥା କାଟ ଖାଇଥିଲା । ସୂଚନା ମଧ୍ୟ ରହିଛି ଯେ, ଏହି କାଉନସିଲରମାନଙ୍କୁ ଗଲା ୪ ଦିନ ଧରି ଅନ୍ୟତ୍ର ନେଇ ରଖାଯାଇଥିଲା । କିଛି ଜଣଙ୍କୁ ଅନାସ୍ଥା ସପକ୍ଷରେ ଭୋଟ ଦେବା ପାଇଁ ଧମକ ଚମକ ମଧ୍ୟ ଦିଆଯାଉଥିଲା । କିନ୍ତୁ ଆଜି ସବୁ ଫସର ଫାଟିଯାଇଛି ।