ରୋଷେଇ ଘରେ ଫାଟିଲା ଗ୍ୟାସ ଟାଙ୍କୀ, ତିନି ଗୁରୁତର

ନିମାପଡା : ପୁରୀ ଜିଲ୍ଲା ଗୋପ ଥାନା ବଣିଆସାହିରେ ଅଘଟଣ । ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କୀ ଫାଟିବାରୁ ନିଆଁ ଲାଗି ତିନିଜଣ ଗୁରୁତର ହୋଇଛନ୍ତି । ଗୋପ ପୟରା ପଞ୍ଚାୟତ ଯମରା ଗାଁର ନାରାୟଣ ମଲ୍ଲିକ ଓ ତାଙ୍କ ପତ୍ନୀ ବଣିଆସାହିରେ ଭଡାଘରେ ରହି ଆସୁଥିଲେ। ରାତିରେ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କୀରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ଟାଙ୍କୀଟି ଫାଟି ଯାଇଥିଲା । ଫଳରେ ନାରାୟଣ ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ନାରାୟଣଙ୍କ ସଢୁ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ନିଆଁର ଶିକାର ହୋଇଥିଲେ । ଘଟଣା ଘଟିବା ପରେ ତୁରନ୍ତ ଗ୍ରାମବାସୀଙ୍କ ଦ୍ୱାରା ତିନିଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଗୋପ ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତିନିଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।