କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ

ନନ୍ଦିଘୋଷ ବ୍ୟୁରୋ: କାର୍ଯ୍ଯକ୍ଷମ ହୋଇପାରୁନି କୋଟି କୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ନିମାପଡା ପିପିଲି ମୁଖ୍ଯ ରାସ୍ତାରେ ଥିବା ନୂଆଁଣିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି ହଜାର ହଜାର ଲୋକ । ଜମିଜମା ବିବାଦ ଯୋଗୁଁ  ବ୍ରିଜ ହୋଇପାରୁନି କାର୍ଯ୍ଯକ୍ଷମ । ତୁରନ୍ତ ଏହାକୁ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

କାମରେ ଆସୁନି କୋଟିକୋଟି ଟଙ୍କାରେ ନିର୍ମିତ ବ୍ରିଜ । ପୁରୀ ଜିଲ୍ଲା ନିମାପଡା ପିପିଲି ମୁଖ୍ଯରାସ୍ତା ଧନୁଆଁ ସେତୁ ଉପରେ ନିର୍ମିାଣ ହୋଇଛି ନୂତନ ବ୍ରିଜ। ବ୍ରିଜ ନିର୍ମାଣକୁ ୨ ବର୍ଷ ପୂରିଥିଲେ ବି ଏପର୍ଯ୍ଯନ୍ତ ହୋଇପାରୁନି କାର୍ଯ୍ଯକ୍ଷମ । ଫଳରେ ବିପଦସଙ୍କୁଳ ଭାବେ ରହିଥିବା ନୂଆଁଣିଆ ବ୍ରିଜରେ ପ୍ରତିଦିନ ଯିବାଆସିବା କରୁଛି ହଜାର ହଜାର ଗାଡି । ନୂଆଁଣିଆ ବ୍ରିଜଟି ବିପଦପୂର୍ଣ୍ଣ ହେବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ୫କୋଟିରୁ ଅଧିକ ଟଙ୍କା ବ୍ଯୟବରାଦରେ ନିର୍ମିତ ହୋଇଥିଲା ନୂତନ ବ୍ରିଜ । ହେଲେ ଗଡ଼ାଣିଆ ରାସ୍ତା ଜମି ବିବାଦ ପାଇଁ ଏହାକୁ ଖୋଲା ଯାଇନଥିବାର ଅଭିଯୋଗ କରାଯାଇଛି।

ବିପଦ ସଂକୁଳ ଅବସ୍ଥାରେ ରହିଥିବା ନୁଆଣିଆଁ ବ୍ରିଜଟିର ଅବସ୍ଥା ଦିନକୁ ଦିନ ସଙ୍କଟାପର୍ଣ୍ଣ ହେବାର ଲାଗିଛି। ପ୍ରତ୍ୟେକ ବର୍ଷ ଧନୁଆ ନଦୀରେ ବନ୍ୟା ଆସିଲେ ଏହି ବ୍ରିଜ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ । ଫଳରେ ପିପିଲି ନିମାପଡାକୁ ଯୋଗାଯୋଗ ବିଛିନ୍ନ ହୋଇଯାଏ । ଏବେ ବ୍ରିଜଟିର ଗୋଟିଏ ପାର୍ଶ୍ଵରେ ବିରାଟ ଘାଇ ସୃଷ୍ଟି ହେବା ଫଳରେ ଅତଡା ଖସିବା ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ପର୍ଯ୍ଯଟକ କୋଣାର୍କ ଓ କାକଟପୁର ମା ମଙ୍ଗଳାଙ୍କ ନିକଟକୁ ଯାଉଛନ୍ତି। ତେଣୁ ଶୀଘ୍ର ନୂତନ ବ୍ରିଜ କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।