ଧ୍ୱଂସ ହେବାରେ ଲାଗିଛି ସ୍ୱର୍ଣ୍ଣଚୂଡ଼ ଜଙ୍ଗଲ: ଗାଛ କାଟି ନେଉଛନ୍ତି କାଠ ମାଫିଆ

ନୀଳଗିରି: ଧ୍ୱଂସ ହେବାରେ ଲାଗିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ସ୍ୱର୍ଣ୍ଣଚୂଡ଼ ଜଙ୍ଗଲ । କାଠ ମାଫିଆଙ୍କ ପାଇଁ ସଫା ହେଉଛି ହେକ୍ଟର ଜଙ୍ଗଲ । ଦିନ ଦ୍ୱିପ୍ରହରରେ ଗଡ଼ୁଛି ମୂଲ୍ୟବାନ ଗଛ । ବନ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା ।

ମାତିଛନ୍ତି କାଠ ମାଫିଆ । ଅବାଧରେ ଚାଲିଛି ଗଛ କଟା । ବିପଦରେ ସ୍ୱର୍ଣ୍ଣଚୂଡ଼ ଜଙ୍ଗଲ । କାଠ ମାଫିଆଙ୍କ ପାଇଁ ଧ୍ୱଂସ ହେବାରେ ଲାଗିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ସ୍ୱୂର୍ଣ୍ଣଚୂଡ଼ ଜଙ୍ଗଲ । ବନ ବିଭାଗକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପ୍ରାୟ ୧୮ଶହ ହେକ୍ଟର ଜଙ୍ଗଲକୁ କବଜା କରିଛନ୍ତି ମାଫିଆ । ଦିନ ଦ୍ୱିପ୍ରହରରେ ଶାଗୁଆନ, ଶାଳ, ପିଆଶାଳ, ପଟାସ ଆଦି ମୂଲ୍ୟବାନ ଗଛ କାଟି ନେଉଥିବା ଅଭିଯୋଗ ହୋଇଛି ।

କାଠ ମାଫିଆଙ୍କ ପାଇଁ ସଂକୁଚିତ ହେବାରେ ଲାଗିଛି ସ୍ୱର୍ଣ୍ଣଚୂଡ଼ ଜଙ୍ଗଲ । ପ୍ରାୟ ୨୦୦ରୁ ଅଧିକ ଶାଗୁଆନ ଗଛ କଟା ହୋଇଛି । ସ୍ୱର୍ଣ୍ଣଚୂଡ଼ା ଜଙ୍ଗଲର ମାତ୍ର ଅଧା କିଲୋମିଟର ଦୂରରେ ବନ ବିଭାଗର ଆଉଟ୍ ପୋଷ୍ଟ ରହିଥିଲେ ମଧ୍ୟ କିଭଳି ବନ କର୍ମଚାରୀ ଗଛ କଟା ହେଇଥିବା ଜାଣି ପାରୁନାହିଁନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ନୀଳଗିରି ରେଞ୍ଜର କହିଛନ୍ତି, ଗଛକଟା ଅଭିଯୋଗରେ ଜଣକୁ କରାଯାଇଛି । ଆଗକୁ ୨୪ ଘଣ୍ଟିଆ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯିବ । ସଂରକ୍ଷିତ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବନ୍ୟଜନ୍ତୁ ଗାଁ ମୁହଁ ହେଉଛନ୍ତି । ଫଳରେ ଜଙ୍ଗଲୀ ଜୀବଙ୍କ ଆକ୍ରମଣର ଶିକାର ହେଉଛନ୍ତି ସ୍ଥାନୀୟ ବାସନ୍ଦା । ତେଣୁ ସୂର୍ଣ୍ଣଚୂଡ ଜଙ୍ଗଲରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ଦାବି ହୋଇଛି ।