ନୀଳମାଧବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ପୁରାଣ ବର୍ଣ୍ଣିତ ଐତିହାସିକ ପୀଠ କଣ୍ଟିଲୋର ନୀଳମାଧବ ପୀଠ। ପ୍ରତିଦିନ  ହଜାର ହଜାର ଭକ୍ତ ନୀଳମାଧବଙ୍କ ଦର୍ଶନ ପାଇଁ ପହଞ୍ଚନ୍ତି। ନୀଳମାଧବଙ୍କୁ ଜଗନ୍ନାଥଙ୍କ ଆଦିରୂପ ଭାବେ ବିବେଚନା କରାଯାଏ। ବଣଜଙ୍ଗଲ ଏବଂ ମହାନଦୀ କୂଳରେ ଥିବା ଏହି ସ୍ଥାନ ଟି ପର୍ଯ୍ୟଟନ ୠତୁ ଆସିଲେ ପର୍ଯ୍ୟଟକଙ୍କୁ କରିଥାଏ ଆକର୍ଷିତ। ରାଜ୍ଯ ବାହାରୁ ଦର୍ଶନ ପାଇଁ ପହଞ୍ଚନ୍ତି ଶ୍ରଦ୍ଧାଳୁ।

ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ନୀଳମାଧବ ମନ୍ଦିର। ଧବଳ ମନ୍ଦିର ଦେଖିବାକୁ ଯେତିକି ଶାନ୍ତିଦାୟକ ସେତିକି ରୋଚକ ଏହାର ଇତିହାସ। ନୟାଗଡ଼ ଖଣ୍ଡପଡ଼ାର ଏହି ମନ୍ଦିରରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ନୀଳମାଧବଙ୍କୁ ଜଗନ୍ନାଥଙ୍କ ଆଦିରୂପ ଭାବେ ବିବେଚନା କରାଯାଏ। ଜଗନ୍ନାଥଙ୍କ ଆଦିକ୍ଷେତ୍ର ଭାବେ କଣ୍ଟିଲୋ ରାଜ୍ଯ ବାହାରେ ବି ଲୋକପ୍ରିୟ। ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ପରେ ପ୍ରଭୁ ନୀଳମାଧବ ଦାରୁ ରୂପରେ ବାଙ୍କି ମୁହାଣ ନିକଟରେ ଆବିର୍ଭାବ ହୋଇଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁଙ୍କୁ ଠାବ କରିବା ସହିତ କଣ୍ଟିଲୋରେ ନୀଳମାଧବ ମନ୍ଦିର ତୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏଠାରେ ନୀଳମାଧବଙ୍କୁ ପୂଜା ହୋଇଆସୁଛି।

ବଣଜଙ୍ଗଲ ଏବଂ ମହାନଦୀ କୂଳରେ ଥିବା ଏହି ସ୍ଥାନ ଟି ପର୍ଯ୍ୟଟନ ୠତୁ ଆସିଲେ ପର୍ଯ୍ୟଟକଙ୍କୁ କରିଥାଏ ଆକର୍ଷିତ। ଏତତଃ ବ୍ୟତୀତ ପ୍ରଭୁଙ୍କ ଦର୍ଶନ, ତ୍ରିବେଣୀ ସଙ୍ଗମରେ ସ୍ନାନ ସାଙ୍ଗକୁ ଏହି ମନୋରମ ପରିବେଶରେ ଭୋଜି କରିବାର ସୁବିଧା ଥବାରୁ ସବୁ ବୟସର ଲୋକ ଏହି ସ୍ଥାନକୁ ବେଶ ପସନ୍ଦ କରିଥାନ୍ତି । କିମ୍ବଦନ୍ତୀ ଅନୁଯାଇ ଏହି ମନ୍ଦିରର ଏକ ଆଶ୍ଚର୍ଯ୍ୟର କଥା ଏଇଟା ଯେ, ଏଠାରେ ଥିବା ଶ୍ରୀ ବିଗ୍ରହଙ୍କ ପାଦଦେଶରୁ ସବୁବେଳେ ପାଣି ଝରୁଥାଏ। ଏହି ପାଣିରେ ସ୍ନାନ କଲେ ଅନେକ ଆସାଧ୍ୟ ରୋଗ ଭଲ ହେବା ସହ ପ୍ରଭୁଙ୍କ ଆଶିଷ ଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ସେହିପରି ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍ ସେହିପରି ନୀତିକାନ୍ତି ହୋଇଥାଏ।

ନଜର ପକାନ୍ତୁ