ଅଧାରେ ଅଟକିଛି ପାର୍କ କାମ, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ନୀଳଗିରିରେ ଶିଶୁ ଆମୋଦ ହୋଇଛି ସାତ ସପନ। ଅଧାରେ ଅଟକିଛି ପାର୍କ କାର୍ଯ୍ୟ । ସ୍ମାଟ ପାର୍କରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ହେଲେ ସେସବୁ ପିଲା ମାନଙ୍କ କାମରେ ଆସୁନି । ସାମାନ୍ୟ ମୋନରଞ୍ଜନ ପାଇଁ କୁନି କୁନି ଶିଶୁଙ୍କୁ ହତାଦର ହେବାକୁ ପଡୁଛି। ଏସବୁ ପ୍ରତି ନୀଳଗିରି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ଅଧାରେ ଅଟକିଛି ପାର୍କ କାମ । ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଗେଟରେ ଝୁଲୁଛି ତାଲା । ହେଲେ ପିଲାଙ୍କୁ ମିଳିପାରୁନି ଆମୋଦ ପ୍ରମୋଦ ନିମନ୍ତେ ଶିଶୁ ଉଦ୍ଯାନଟିଏ । ଆମେ ଆପଣଙ୍କୁ କହୁଛୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ବିଷୟରେ । ଏଠାରେ ପିଲାଙ୍କ ପାଇଁ ଗୋଟିଏ ପାର୍କଟିଏ ନଥିବାରୁ ପିଲାମାନେ ମୋବାଇଲ ମୁହାଁ ହେବା ସହିତ ଖେଳକୁଦରୁ ରୁଚି କମାଇ ସାରିଲେଣି । ପିଲାଙ୍କ ମନୋରଞ୍ଜନ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଲାଗି ୨୦୧୮ ମସିହାରେ ଏକ ଶିଶୁ ଉଦ୍ଯାନଟିର ଉଦଘାଟନ କରାଯାଇଥିଲା । ହେଲେ ତାହା ରକ୍ଷଣାବେକ୍ଷଣା ଅଭାବରୁ ବନ୍ଦ ହୋଇପଡିଛି । ସେହିପରି ନୀଳଗିରି ରାଡାର ରାସ୍ତାରେ ଏନଏସି ପକ୍ଷରୁ ସହରବାସୀଙ୍କ ନିମନ୍ତେ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ଏକ ସ୍ମାର୍ଟ ପାର୍କ  ନିର୍ମାଣଧୀନ ଅବସ୍ଥାରେ ରହିଥିବା ବେଳେ କାମ ବନ୍ଦ ହୋଇଥିବାରୁ ତାହା ବନର ଭ୍ରମ ସୃଷ୍ଟି କରୁଛି । ସରକାର ପରିବର୍ତ୍ତନ ହେବା ପରେ ପାର୍କ କାମ ବନ୍ଦ ଥିବାରୁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।

ନୀଳଗିରି ସହରର ଜେଲ ସମ୍ମୁଖରେ ମୁକ୍ତା ଯୋଜନାରେ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ ବରାଦରେ ନିର୍ମିତ ମିନି ପାର୍କର ଅବସ୍ଥା ମଧ୍ୟ ସମାନ । ଏଠାରେ ୯୦ ପ୍ରତିଶତ କାମ ସରିଥିଲେ ମଧ୍ଯ ଏହା କାର୍ଯ୍ଯକ୍ଷମ ହୋଇପାରିନାହିଁ । ଫଳରେ ଏହା ସରୀସୃପ ମାନଙ୍କ ଆଡ୍ଡାସ୍ଥଳ ପାଲଟିଛି । ସେହିପରି ନୀଳଗିରିର ୧୩ଟି ୱାର୍ଡ ଓ ବଜାରରେ ହୋଇଥିବା ଓପନ ଜିମ ଗୁଡିକ ମଧ୍ୟ ରକ୍ଷଣାବେକ୍ଷଣା ଅଭାବରୁ ଅଚଳ ହେବାକୁ ବସିଲାଣି । ଏନେଇ ନୀଳଗିରି ଭାରାପ୍ରାପ୍ତ ଏନଏସି ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି ମେଡିକାଲ ନିକଟ ପାର୍କଟି ମେଡିକାଲର ସ୍ଥାନ ହୋଇଥିବାରୁ ତାକୁ ବନ୍ଦ କରାଯାଇଛି । ସେ ସାମଗ୍ରୀକୁ ଅନ୍ୟତ୍ର ବ୍ୟବହାର କରାଯିବ ସେହିପରି ମିନି ପାର୍କର ଫଣ୍ଡ ସରିବାରୁ କିଛି କାମ ବାକି ଅଛି ତାକୁ ସାରି ଗୋଟିଏ ମାସ ଭିତରେ ଖୋଲାଯିବ ଓ ସ୍ମାର୍ଟ ପାର୍କର ଅନେକ କାର୍ଯ୍ଯ ବାକି ରହିଛି ତାର କାମ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ କହିଛନ୍ତି।