ନିକିତା ତୋମାର ହତ୍ୟାକାଣ୍ଡ; ତୌସିଫ ଓ ରେହାନ ଦୋଷି ସାବ୍ୟସ୍ତ

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦ ବଲ୍ଲଭଗଡର ନିକିତା ତୋମାର ହତ୍ୟାକାଣ୍ଡରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତୌସିଫ ଓ ରେହାନଙ୍କୁ କୋର୍ଟ ଦୋଷି ସାବ୍ୟସ୍ତ କରିଛନ୍ତି । ତେବେ ସଜ୍ଜା ଘୋଷଣା ଶୁକ୍ରବାର ବା ମାର୍ଚ୍ଚ ୨୬ରେ ହେବ । ଅନ୍ୟପଟେ ତୃତୀୟ ଅଭିଯୁକ୍ତ ଅଜହରଉଦ୍ଦିନଙ୍କୁ ନିର୍ଦ୍ଦୋଶ ଭାବେ ଖଲାସ କରିଛନ୍ତି କୋର୍ଟ । ଏହି ହତ୍ୟା କାଣ୍ଡରେ ତୌସିଫ  ମୁଖ୍ୟ ଅଭିଯୁକ୍ତ ଥିବାବେଳେ ରେହାନ ଘଟଣା ସମୟରେ ତା ସହିତ ଉପସ୍ଥିତ ଥିଲା। ଅନ୍ୟପଟେ ଅଜହର ଉଦ୍ଦିନଙ୍କ ଉପରେ ହତିଆର ଯୋଗାଇଥିବା ଅଭିଯୋଗ ଥିଲା ।  ଯାହାକି ପ୍ରମାଣିତ ହୋଇପାରି ନାହିଁ ।

କ’ଣ ସମ୍ପୂର୍ଣ୍ଣ ଘଟଣା ?

୨୦୨୦ ଅକ୍ଟୋବର ୨୬। ନିକିତା +୩ ପରୀକ୍ଷା ଦେଇ ବଲାଭଗଡର ଅଗ୍ରୱାଲ କଲେଜରୁ ଫେରୁଥିଲେ । ଦିଲ୍ଲୀଠାରୁ ମାତ୍ର ୬୩ କିଲୋମିଟର ଦୂରରେ ଥିବା ହରିୟାଣାର ବଲ୍ଲଭଗଡ଼ର ରାସ୍ତାରେ ଏକ କାର ଆସି ତାଙ୍କ ପାଖରେ ଅଟକି ଥିଲା । ସେଥିରୁ ଜଣେ ଯୁବକ ବାହାରି ନିକିତାଙ୍କୁ ଜୋରଜବରଦସ୍ତ କାରରେ ଟାଣି ନେବାକୁ ଚେଷ୍ଟା କରିଥିଲା । ନିକିତାଙ୍କ ସହ ଥିବା ତାଙ୍କ ବନ୍ଧୁ ବିରୋଧ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏବଂ ସେମାନେ ନିକିତାଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଲାଗିଥିଲେ। ଯେତେବେଳେ ନିକିତା ଡରି ନଥିଲେ, ସେତେବେଳେ ଯୁବକ ଜଣଙ୍କ ଗୁଳି ଚଳାଇ ଦେଇଥିଲା । ଏବଂ ସେଠାରେ ହିଁ ନିକିତାଙ୍କ ମୃତ୍ୟୁ ହୋଇଥିଲା । ଡ୍ରାଇଭିଂ ସିଟରେ ଆଉ ଜଣେ ଯୁବକ ମଧ୍ୟ ଥିଲା । ଯୁବତୀଙ୍କୁ ଦିନ ଦିପହରେ ସେମାନେ ଗୁଳି କରି ସେଠାରୁ ଫେରାର୍ ହୋଇଯାଇଥିଲେ । ପରେ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଥିଲା ।

କୋର୍ଟରେ ପୋଲିସ ଦେଇଥିଲା ଏହିସବୁ ପ୍ରମାଣ: 

ହତ୍ୟାକାଣ୍ଡର ଶୁଣାଣିବେଳେ ୫୫ ଜଣ ସାକ୍ଷୀ ଦେଇଥିଲେ । ପୁଲିସ ପ୍ରମାଣ ଭାବେ ସିସି ଟିଭି ଫୁଟେଜକୁ ଉପସ୍ଥାପିତ କରିଥିଲା । ଯେଉଁଥିରେ ଅଭିଯୁକ୍ତ ନିକିତାଙ୍କୁ ଗୁଳିମାରିଥିବା ସ୍ପଷ୍ଟଭାବେ ଦେଖାଯାଇଥିଲା । ଯେଉଁ କାରରେ ବସି ତୌସିଫ୍ ଓ ରେହାନ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେଥିରୁ ତୌସିଫର ଚୁଟି ମିଳିଥିଲା । ଏବଂ କାର୍ ର କାଚରୁ ରେହାନର ଫିଙ୍ଗରପ୍ରିଣ୍ଟ ବି ମିଳିଥିଲା ।

Leave a Reply