spot_img

Latest Posts

ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ: ରାତି ୮ରୁ ସକାଳ ୭ ଭିତରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ରାଜ୍ୟ ସରକାର କଡ଼ା କଟକଣା ଲଗାଇଛନ୍ତି। ଦେଶରେ ପୁଣିଥରେ ଫେରିଛି ନାଇଟ କର୍ଫ୍ୟୁ। କରୋନା ସଂକ୍ରମଣକୁ ଚେକ୍‌ ଦେବା ପାଇଁ ମହାରାଷ୍ଟ୍ରରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ରାଜ୍ୟର କିଛି ସ୍ଥାନରେ ରାତି ୧୦ଟାରୁ କଟକଣା ଜାରି ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।

ଏହି କର୍ଫ୍ୟୁ ସମୟରେ ଅତ୍ୟାବଶକ ସେବା ଜାରି ରହିବ। ବିନା କୌଣସି ଠୋସ୍‌ କାରଣରେ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରରେ ପ୍ରତ୍ୟେକ ଦିନ ୩୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ମାତ୍‌ ଦେବା ପାଇଁ କର୍ଫ୍ୟୁ ହିଁ ଏକ ମାତ୍ର ରାସ୍ତା ବୋଲି ସରକାର କହିଛନ୍ତି।

ଅନ୍ୟପଟେ ଦେଶରେ ଦେଶରେ ବଢୁଛି କରୋନା ଗ୍ରାଫ୍। ଦିନକରେ ୬୨ହଜାର ୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୩୧୨ଜଣଙ୍କ ଜୀବନ ନେଇଛି କିଲର କରୋନା। ଆଜିର କରୋନା ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି।

 

Latest Posts

Don't Miss