ଫେରିଲା ନାଇଟ୍‌ କର୍ଫ୍ୟୁ, ଖୁବ୍‌ ଶୀଘ୍ର ହୋଇପାରେ ବି ଲକ୍‌ଡାଉନ୍‌

night curfew

ମୁମ୍ବାଇ: ପୁନେକୁ ଫେରିଲା ନାଇଟ୍‌ କର୍ଫ୍ୟୁ । ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟ ଲାଗୁ କରାଯାଇଛି । ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । ଏହି ସମୟରେ ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ଓ ଲୋକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏହାସହ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ସୋମବାରଠାରୁ ନୂଆ ଗାଇଡଲାଇନ୍ ଜାରି ହେବ ବୋଲି ପୁନେ ଡିଭିଜନାଲ କମିଶନର ସୌରଭ ରାଓ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରର କେତେକ ସହରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯିବା ଜରୁରୀ ବୋଲି କୁହାଯାଉଛି । ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ବଡ୍ଡେଟିବାରଙ୍କ ଅନୁସାରେ, ନାଗପୁର, ଅମରାବତୀ, ୟବତମାଳ ଭଳି ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଅକୋଲା, ୟବତମାଳ, ସତାରା ଓ ଅମରାବତୀ ଆଦି ସ୍ଥାନରେ ସଂକ୍ରମଣ ବୃଦ୍ଧି ଅଧିକାରୀଙ୍କ ପାଇଁ ଚିନ୍ତା ପାଲଟିଛି । ଫେବ୍ରୁଆରୀ ୨୦ ତାରିଖରେ ମହାରାଷ୍ଟ୍ରରେ କରୋନାର ୬ ହଜାର ୨୮୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ, ଥାନେ, ଅମରାବତୀ, ପୁନେ ଓ ନାଗପୁରରେ ଲକଡାଉନ୍ ହେବା ନେଇ ଆକଳନ କରାଯାଉଛି ।

Leave a Reply