ବିଜେପି ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ ଉଦ୍ଧାର

1 min read

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ନାବାଳିକା ବିଧାୟକଙ୍କ ବଡ଼ ଭାଇଙ୍କ ଝିଅ ବୋଲି ପୋଲିସ ସୂଚନା ଦେଇଛି । କେଉଁ କାରଣରୁ ସେ ପଙ୍ଖାରେ ଝୁଲି ପଡିଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ । ଖାରବେଳ ନଗର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବିଧାୟକ ନବ ଚରଣ ମାଝୀ ଏମ୍‌ଏଲ୍‌ଏ କଲୋନୀର ଡିଏସ୍ ୧୦/୧ କ୍ବାର୍ଟର୍ସରେ ରହୁଛନ୍ତି ।

ତାଙ୍କ ଝିଆରୀ ଏଠାରେ ମାସେ ହେବ ରହୁଥିଲେ । ସେ ନୟାପଲ୍ଲୀ ସ୍ଥିତ ଏକ କଲେଜରେ ଯୁକ୍ତ-୨ର ଛାତ୍ରୀ ଅଟନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ରାତି ୧୦ ଟାରେ ସେମାନେ ତାଙ୍କୁ ଦେଖିଥିଲେ । ନାବାଳିକା ଜଣକ ଶୋଇବାକୁ ରୁମ୍‌କୁ ଯାଇଥିଲେ । ରବିବାର ଥିବାରୁ ଡେରିରେ ଉଠିବେ ଭାବି ପରିବାର ଲୋକେ ସକାଳୁ କବାଟ ବାଡେଇ ନଥିଲେ । ହେଲେ ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପରିବାର ଲୋକ କବାଟ ବାଡେଇଥିଲେ, ହେଲେ ଝିଅ କବାଟ ଖୋଲି ନଥିଲା ।

ପରେ ଝରକା ବାଟେ ଦେଖିବାରୁ ଝିଅର ଝୁଲନ୍ତା ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଖାରବେଳନଗର ପୋଲିସ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ମୋବାଇଲ ମିଳିଛି । ସେଥିରେ ତାଙ୍କ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଜଣାପଡିଛି । ସେ କାହା ସହ କଥା ହେଉଥିଲେ । କେତେ ସମୟ କଥା ହେଇଛନ୍ତି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରାଯିବ । ତେବେ ତାଙ୍କ ମୃତ୍ୟୁ ପଛରେ କି କାରଣ ରହିଛି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।