୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ କ୍ରିକେଟର ନିକୋଲାସ ପୂରନ

ନନ୍ଦିଘୋଷ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଷ୍ଟାର ନିକୋଲାସ୍ ପୂରନ୍ ତାଙ୍କ ପ୍ରଶଂସକମାନଙ୍କୁ ଦେଇଛନ୍ତି ଏକ ବଡ଼ ଝଟକା । ସେ ମାତ୍ର 29 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖବର କ୍ରିକେଟ୍ ଜଗତ ପାଇଁ ଏକ ବଡ଼ ଝଟକା, କାରଣ ପୂରନଙ୍କୁ ଆଧୁନିକ କ୍ରିକେଟ୍‌ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ। ତଥାପି, ସେ ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଆଗକୁ ତାଙ୍କର ବିସ୍ଫୋରକ ବ୍ୟାଟିଂ ଦେଖାଇବେ।

ହଠାତ୍ ଘୋଷଣା କଲେ ଅବସର

ନିକୋଲାସ ପୂରନଙ୍କ ଜନ୍ମ ୨ ଅକ୍ଟୋବର ୧୯୯୫ରେ ତ୍ରିନିଦାଦ ଏବଂ ଟୋବୌଗୋରେ ହୋଇଥିଲା। ସେ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ପାଇଁ ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଖୁବ୍ ଶୀଘ୍ର ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ୱିକେଟ କିପିଂ କ୍ଷମତା ତାଙ୍କୁ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଦେଇଥିଲା। ପୂରନଙ୍କ ୱେଷ୍ଟଇଣ୍ଡିଜ୍ ପାଇଁ ଦିନିକିଆ ଏବଂ ଟି୨୦ ଫର୍ମାଟରେ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଏବଂ କଷ୍ଟକର ପରିସ୍ଥିତିରେ ରନ ସ୍କୋର କରିବାର କ୍ଷମତା ତାଙ୍କୁ ପ୍ରଶଂସକଙ୍କ ପ୍ରିୟ କରିଥିଲା। ହେଲେ ସେ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

କିଛି ପ୍ରଶଂସକ ବିଶ୍ୱାସ କରନ୍ତି ଯେ ପୂରନ ଟଙ୍କା ପାଇଁ ଏହି ନିଷ୍ପତ୍ତି ନେଇଥାଇ ପାରନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ୍ ଅପେକ୍ଷା ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଅଧିକ ରୋଜଗାର କରନ୍ତି। ତାଙ୍କୁ କେବଳ ବଡ଼ ଅବସରରେ ୱେଷ୍ଟଇଣ୍ଡିଜ୍ ପାଇଁ ଖେଳିବାର ଦେଖାଯାଉଥିଲା।

ନିକୋଲାସ ପୁରନଙ୍କ ଭାବପ୍ରବଣ ପୋଷ୍ଟ

ନିକୋଲାସ୍ ପୁରନ୍ ତାଙ୍କ ଅବସର ଘୋଷଣା କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ବହୁତ ଚିନ୍ତା କରିବା ପରେ, ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଆମେ ଭଲ ପାଉଥିବା ଏହି ଖେଳ ଆମକୁ ବହୁତ କିଛି ଦେଇଛି ଏବଂ ଆଗକୁ ମଧ୍ୟ ଦେବ  । ଖୁସି , ସ୍ମୃତି ଏବଂ ୱେଷ୍ଟଇଣ୍ଡିଜ୍ ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ, ମାରୁନ୍ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଠିଆ ହେବା ଏବଂ ପ୍ରତ୍ୟେକ ଥର ପଡ଼ିଆରେ ପାଦ ଦେବା ସମୟ ଏବୁ ଏହା ମୋ ପାଇଁ ପ୍ରକୃତରେ କ’ଣ ଅର୍ଥ ରଖେ ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଅଧିନାୟକ ଭାବରେ ଦଳକୁ ନେତୃତ୍ୱ ଦେବା ଏକ ସମ୍ମାନ ଯାହାକୁ ମୁଁ ସର୍ବଦା ମୋ ହୃଦୟରେ ରଖିବି। ପ୍ରଶଂସକମାନଙ୍କୁ ସେମାନଙ୍କର ଅଟଳ ପ୍ରେମ ପାଇଁ ଧନ୍ୟବାଦ। ଆପଣମାନେ ମୋତେ କଷ୍ଟକର ମୁହୂର୍ତ୍ତରେ ଧରି ରଖିଥିଲେ ଏବଂ ଅତୁଳନୀୟ ଉତ୍ସାହ ସହିତ ଭଲ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ସେଲିବ୍ରେଟ୍ କରିଥିଲେ। ମୋ ସହିତ ଏହି ଯାତ୍ରାରେ ଚାଲିବା ପାଇଁ ମୋର ପରିବାର, ବନ୍ଧୁ ଏବଂ ସାଥୀ ଖେଳାଳିମାନଙ୍କୁ ଧନ୍ୟବାଦ। ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ଆଗକୁ ନେଇଛି ଏବଂ ସଫଳତା ଦେଇଛି ।’