ପୁଞ୍ଚରେ ଗ୍ରେନେଡ ଆଟାକ, ତଦନ୍ତ କରିବ ଏନଆଇଏ

1 min read

ନୂଆଦିଲ୍ଲୀ: ପୁଞ୍ଚରେ ଗ୍ରେନେଡ ଆଟାକ, ତଦନ୍ତ କରିବ ଏନଆଇଏ । ଆତଙ୍କବାଦୀ ଆକ୍ରମଣରେ  ୫ ଯବାନ ସହିଦ ହୋଇଥିବା ବେଳେ ଏଥିପାଇଁ ନିଜକୁ ଦାୟୀ କରିଛି ଜୈସ ସଂଗଠନ ସମର୍ଥିତ ପିପୁଲସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ । କିଛି ସମୟ ପରେ ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ସହ ଦିଲ୍ଲୀରୁ ୮ଜଣିଆ ଫରେନସିକ ଟିମ୍ ମଧ୍ୟ ଜାମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି । ଦୁର୍ଘଟଣା ସ୍ଥଳରେ ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସ୍ନିଫର ଡଗ ଓ ଡ୍ରୋନ ଯୋଗେ ଆତଙ୍କୀଙ୍କୁ ଟ୍ରେସ କରିବାକୁ ଚେଷ୍ଟା ଚାଲିଛି । ବମ ସ୍କ୍ୱାଡ୍‌ ଓ ସ୍ପେଶାଲ ଅପରେସନ ଗ୍ରୁପ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି ।

ଗତକାଲି ଅପରାହ୍ନରେ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ ଉପରକୁ ଆତଙ୍କବାଦୀ ଗ୍ରେନେଡ ଆକ୍ରମଣ କରିଥିଲେ । ଏଥିରେ ୫ଜଣ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି । ସହିଦ ଯବାନମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନସ ନାଏକ ଦେବାଶିଷ ବିଶ୍ବାଳ, ଲାନସ ନାଏକ କୁଲଓ୍ବନ୍ତ ସିଂ. ସିପାହୀ ହରକିଷନ ସିଂ ଓ ସିପାହୀ ସେବକ ସିଂ । ସହିଦ ୫ ଯବାନଙ୍କ ମଧ୍ୟରୁ ୪ଜଣ ପଞ୍ଜାବର ଓ ଜଣେ ଓଡ଼ିଶାର । ଗ୍ରେନେଡ ଆକ୍ରମଣରେ ସେନା ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ପ୍ରବଳ ବର୍ଷା ଓ ଅସ୍ପଷ୍ଟ ପରିବେଶର ସୁଯୋଗ ନେଇ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ପ୍ରାଣ ହରାଇଥିବା ଯବାନ ହେଉଛନ୍ତି ରାଷ୍ଟ୍ରୀୟ ରାଇଫଲସ ୟୁନିଟର । ସେମାନେ ଆତଙ୍କବାଦ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସବିଶେଷ ଅବଗତ କରାଇଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପିଡିପି ନେତ୍ରୀ ମେହବୁବା ମୁଫତି ପ୍ରମୁଖ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନ ଜଣାଇଛନ୍ତି ।