ପାକିସ୍ତାନକୁ ଭାରତର କେଉଁ ଗୁପ୍ତ ତଥ୍ୟ ଦେଇଛି ଜ୍ୟୋତି ମାଲହୋତ୍ରା,ବିଭିନ୍ନ ଦିଗକୁ ନେଇ ଏନଆଇଏ କରୁଛି ଜେରା
1 min read
ନନ୍ଦିଘୋଷ ବ୍ୟୁରୋ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଖୋଲୁଛି ଗୁପ୍ତଚର ଗୁମର । ଗତକାଲି ବିଳମ୍ବିତ ରାତିରେ ଜ୍ୟୋତିଙ୍କ ଘରେ ଛାନବିନ୍ କରିଛି ଏନଆଇଏ। ଚଢ଼ାଉ ବେଳେ ଜ୍ୟୋତିଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଜାମ୍ମୁ କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ତିନି ମାସ ପୂର୍ବରୁ ସେଠାକୁ ଯାଇଥିଲେ ଜ୍ୟୋତି। ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନୀ ହାଇ କମିଶନର ଦାନିଶ ନାମକ ଜଣେ କର୍ମଚାରୀ ହନିଟ୍ରାପ୍ କରିଥିଲେ । ଦାନିଶ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ ISI ସହିତ ଜଡିତ ବୋଲି ଜଣାପଡିଛି। ଜ୍ୟୋତିଙ୍କୁ ISIକୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗିରଫ କରାଯାଇଛି । ଜ୍ୟୋତି ଦିଲ୍ଲୀ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ ବୋଲି ଅଭିଯୋଗ ହୋଇଛି । ଗତ ୧୩ ତାରିଖରେ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସେହି ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କାର କରିଥିଲା ଭାରତ । ଅପରେସନ ସିନ୍ଦୂର ଆରମ୍ଭ ହେବା ପରଠାରୁ ଭାରତରେ ଗୁପ୍ତଚର ଏବଂ ପାକିସ୍ତାନର ଆଇଏସଆଇକୁ ସୂଚନା ଯୋଗାଇବା ଅଭିଯୋଗରେ ଜ୍ୟୋତିଙ୍କ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।