ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଜୈଶ ଏ ମହମ୍ମଦର ଆତଙ୍କବାଦୀ ଗିରଫ

1 min read

ନୂଆଦିଲ୍ଲୀ: କାଶ୍ମୀରରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବୈଠକକୁ ବିଫଳ କରିବା ପାଇଁ ଆତଙ୍କବାଦୀ ସଂଗଠନମାନେ ଆକ୍ରମଣ ୟୋଜନା କରୁଛନ୍ତି । ଏହାରି ମଧ୍ୟରେ ଜମ୍ମୁ କାଶ୍ମୀରରେ ଏକ ବଡ଼ଧରଣର ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଛି ସୁରକ୍ଷା ଏଜେନ୍ସି । ରବିବାର ଏନଆଇଏ ଜୈଶ ଏ ମହମ୍ମଦର ଆତଙ୍କବାଦୀକୁ ଗିରଫ କରିଛି । ଗିରଫ ହୋଇଥିବା ଆତଙ୍କବାଦୀର ନାଁ ମହମ୍ମଦ ଉବୈଦ ମଲିକ ବୋଲି ଜଣାଯାଇଛି, ସେ କୁପୱାଡ଼ାର ଅଧିବାସୀ ଅଟେ । ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ସେ ସହ ଲଗାତାର ସମ୍ପର୍କରେ ଥିଲା । ଆତଙ୍କବାଦୀ ଉବୈଦ ଜମ୍ମୁ କାଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଯୋଜନାକୁ ରୂପ ଦେବାକୁ ଯୋଜନା କରୁଥିଲା । ଗିରଫ ଆତଙ୍କୀ ସେନା ଟୃପ୍ସର ମୁଭମେଣ୍ଟ ଏବଂ ସିକ୍ୟୁରିଟି ଫୋର୍ସେସ ସହ ସମ୍ବନ୍ଧିତ ସୂଚନା ପାକିସ୍ତାନରେ ବସିଥିବା ନିଜ କମାଣ୍ଡରଙ୍କୁ ପଠାଉଥିଲା ।

ଏନଆଇଏର ତଦନ୍ତରେ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କୁ ଗୁପ୍ତ ସୂଚନା, ଖାସ କରି ସୈନିକ ଏବଂ ସୁରକ୍ଷାକର୍ମୀଙ୍କ ମୁଭମେଣ୍ଟ ସମ୍ପର୍କରେ ସୂଚନା ଦେଉଥିଲା । ଏନଆଇଏ ଅଭିଯୁକ୍ତ ପାଖରୁ ଜମ୍ମୁ କାଶ୍ମୀରରେ ଆତଙ୍କୀ ଗତିବିଧିକୁ ପ୍ରାଧାନ୍ୟ ଦେବାରେ ତାର ସମ୍ପୃକ୍ତିକୁ ନେଇ ଅନେକ ଦସ୍ତାବିଜ ମଧ୍ୟ ଜବତ କରିଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏଜେନ୍ସି ୨୧ ଜୁନ ୨୦୨୨ରେ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା । ଏନଆଇଏକୁ ଗୁପ୍ତ ସୂଚନା ମିଳିଥିଲା ଯେ ଡ୍ରୋନ ଜରିଆରେ ବୋମା ବିସ୍ଫୋରଣ କରିବା ପାଇଁ ସମାଗ୍ରୀ ପଠାଯାଉଛି । ଏହାପରଠୁ ଗୁଇନ୍ଦା ବିଭାଗ ଆଲର୍ଟ ମୋଡରେ ଥିଲା । ଏହି ମାମଲାରେ ଆଜି ଏନଆଇଏକୁ ବଡ଼ ସଫଳତା ମିଳିଛି ।