ଇଣ୍ଟରନେଟରେ ବଢୁଛି ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ, ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ସମ୍ପର୍କିତ କଣ୍ଟେଣ୍ଟ ପ୍ରସାରଣ ପ୍ରସଙ୍ଗରେ ସୁପାରିସଗୁଡିକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତ କେନ୍ଦ୍ରଶାସିତ ଓ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ପରାମର୍ଶ । ଦୁଇମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ବା ଏଟିଆର ପଠାଇବା ଲାଗି କମିଶନ ଦେଇଛନ୍ତି ନିର୍ଦ୍ଦେଶ । ଇଣ୍ଟରନେଟରେ ଶିଶୁ ଯୌନ ସଂକ୍ରାନ୍ତ ମ୍ୟାଟେରିଆଲ ବା ସିଏସଏଏମଗୁଡିକୁ ନିୟନ୍ତ୍ରଣ କରିବା ସହ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି କମିଶନ ।

୨୦୨୩ରେ ବର୍ତ୍ତମାନ ସୁଦ୍ଧା ଏହି ଧରଣର ୪ ଲକ୍ଷ ୫୦ ହଜାର ୨୦୭ଟି ମାମଲା ପରିଲକ୍ଷିତ ହୋଇଥିବାବେଳେ ଦିନକୁ ଦିନ ଏହି ଧରଣର ମ୍ୟାଟେରିଆଲର ପ୍ରଡକ୍ସନ ଓ ଡିଷ୍ଟ୍ରିବ୍ୟୁସନ ସଂଖ୍ୟା ବଢୁଥିବା ଜଣାଯାଇଛି । ୨୦୨୧ରେ ଏହି ମାମଲା ସଂଖ୍ୟା ୧ ଲକ୍ଷ ୬୩ ହଜାର ୬୩୩ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ଥିଲା ୨ ଲକ୍ଷ ୪ ହଜାର ୫୬ ।

ଯୌନ ଉତ୍ତେଜନାସୃଷ୍ଟିକାରୀ ଦୃଶ୍ୟାବଳୀ, ଶିଶୁଙ୍କୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲ, ଶିଶୁଙ୍କୁ ଯୌନ ଶୋଷଣ ଆଦିକୁ ଚାଇଲଡ ପର୍ଣ୍ଣୋଗ୍ରାଫି ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି । ସୂଚନା ଓ ପ୍ରଯୁକ୍ତି ଆଇନ ୨୦୦୦ରେ ରହିଥିବା ଯୌନ ଉତ୍ତେଜନା ସଂକ୍ରାନ୍ତ ସଂଜ୍ଞାର ପୁନଃସମୀକ୍ଷା କରିବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି କମିଶନ ।

ଇଣ୍ଟରନେଟର ପ୍ରସାରିତ ହେଉଥିବା ଦୃଶ୍ୟଗୁଡିକୁ ମନିଟରିଂ କରିବା ସହ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଶିଶୁ ଯୌନ ନିର୍ଯାତନା ସଂକ୍ରାନ୍ତ ମ୍ୟାଟେରିଆଲଗୁଡିକ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ଲାଗି ପ୍ରସ୍ତାବିତ ସ୍ବତନ୍ତ୍ର କେନ୍ଦ୍ରୀୟ ପୋଲିସ ୟୁନିଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ କମିଶନ କହିଛନ୍ତି । ଆଇନଜୀବୀ, ବିଚାରପତି, ପୋଲିସ, ସରକାରୀ ଅଧିକାରୀଙ୍କୁ ଏସମ୍ପର୍କରେ ପ୍ରଶିକ୍ଷଣ ଦେବା ଲାଗି ସୁପାରିସ କରିଛନ୍ତି କମିଶନ । ସେହିପରି ଏହି ଧରଣର ମ୍ୟାଟେରିଆଲଗୁଡିକୁ ତୁରନ୍ତ ହଟାଇଦେବା ଲାଗି ମିଡିଆ ପ୍ଲାଟଫର୍ମଗୁଡିକୁ କମିଶନ ପରାମର୍ଶ ଦେଇଛନ୍ତି ।