spot_img

Latest Posts

ଜାତୀୟ ରାଜପଥ ବିକାଶ ପାଇଁ କେରଳଠାରୁ ବି କମ୍ ପାଉଛି ଓଡ଼ିଶା

ଭୁବନେଶ୍ବର : କମ୍ ଟଙ୍କା । ଧୀମା କାମ । ମିଳୁଥିବା କମ୍ ଟଙ୍କା ଶତ ପ୍ରତିଶତ ବି ଖର୍ଚ୍ଚ ହୋଇପାରୁନି । ବର୍ଷ ବର୍ଷ ଧରି ଚାଲୁଛି ଓଡ଼ିଶାରେ ଜାତୀୟ ରାଜପଥ ବିକାଶ । ଯେତେ ଅଭିଯୋଗ ହେଲେ ଶୁଣୁଛି କିଏ ? ଦେଖୁଛି କିଏ ? ପୂର୍ବ ଭାରତର ବିକାଶ ଇଞ୍ଜିନ ଓଡ଼ିଶା । ଡବଲ ଇଞ୍ଜିନ୍ ସରକାରଙ୍କ ନାରା ଜୋର । ହେଲେ ଜାତୀୟ ରାଜପଥ ବିକାଶ ପାଇଁ କେରଳଠାରୁ କମ୍ ଟଙ୍କା ପାଉଛି ରାଜ୍ୟ । ୨୦୧୮-୧୯ରୁ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶାକୁ ମିଳିଛି ମାତ୍ର ୧୭ ହଜାର ୨୯୬ କୋଟି ଟଙ୍କା । ଯେଉଁଠି କେରଳ ଭଳି ଛୋଟ ଆୟତନ ବିଶିଷ୍ଟ ରାଜ୍ୟ ପାଇଛି ୩୩ ହଜାର ୪୪୧ କୋଟି । ୭୯ ହଜାର ୧୭୩ କୋଟି ଟଙ୍କା ପାଇ ସବୁ ରାଜ୍ୟଠୁ ଉପରେ ରହିଛି ଉତ୍ତରପ୍ରଦେଶ । ଦୁଇଦିନ ତଳେ ଓଡିଶାରେ ୧୪ଟି ରାଜପଥ ପ୍ରକଳ୍ପ କାମ ଆରମ୍ଭ ହୋଇନି ଓ ୨୦ଟି ଅଧପନ୍ତରିଆ ପଡ଼ିଥିବା ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । କେବେ ସରିବ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ ? ୨୦୨୨ରେ ସରିଥାନ୍ତା ଡୁବୁରି-ଚଣ୍ଡିଖୋଲ ସମ୍ପ୍ରସାରଣ କାମ । ହେଲାନି, ଆଉ କେତେବର୍ଷ ଲାଗିବ ତାହା ବି ଜଣାନାହିଁ ।  ୧୫ ବର୍ଷ ଧରି ଝୁଲୁଛି ଉପକୂଳ ଜାତୀୟ ରାଜପଥ । ଚୂଡାନ୍ତ ହୋଇପାରୁନି କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ଟେଣ୍ଡର ପ୍ରକ୍ରିୟା। ରାଜପଥର ବିକାଶ ନ ହେଲେ କେମିତି ଓଡ଼ିଶାର ବିକାଶ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।

କାମ ସରୁନି, କି କାମ କାହିଁକି ତ୍ବାରାନ୍ବିତ ହେଉନି ତାକୁ ବି କେହି ତଦବିର କରୁନାହାନ୍ତି । କିପରି ଚାଲିଛି ଓଡ଼ିଶାରେ ଜାତୀୟ ରାଜପଥ କାମ ? ଗୋଟିଏ ପଟେ ବଜେଟ୍ କମ୍ ଦେଉଛନ୍ତି । ଅନ୍ୟପଟେ ଏ ବର୍ଷ ହେବ, ଏଲାଇନମେଣ୍ଟ୍ ଚାଲିଛି । କାମ ଆରମ୍ଭ ହେବ, ହେଉଛି ସରିବ । ଏମିତି କହି କହି କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ଜାତୀୟ ରାଜପଥ ବିକାଶ ନାଁରେ ନୂଆ ନୂଆ ଭେଳିକି ଦେଖାଇ ଚାଲିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁ ପ୍ରକଳ୍ପର କାମ ଚାଲିଛି ତାକୁ ବି ନିୟମିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯାଞ୍ଚ କରୁନାହାନ୍ତି । ଏଭଳିକି ଅତୀତରେ ନିମ୍ନମାନର କାମ ଯୋଗୁ ବହୁ ଦୁର୍ଘଟଣା ଘଟିଥିବା ନଜିର ସାମ୍ନାକୁ ଆସିଛି। ବଜେଟ୍ରେ ଯଦି ରାଜ୍ୟ ପାଇଁ କମ ଅର୍ଥ ବ୍ୟୟ ବରାଦ ହେବ ତାହେଲେ କାମ ତ୍ବାରାନ୍ବିତ ହେବ କିପରି ବୋଲି ଉଠିଛି ପ୍ରଶ୍ନ। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । ଯାହା ଚାହିଁବେ କେନ୍ଦ୍ରରୁ ଟାଣି ଆଣିବେ । ସରକାରଙ୍କୁ ୮ ମାସ ପୂରିବାକୁ ବସିଲାଣି। ହେଲେ, ଚାଲୁ ରହିଥିବା ଜାତୀୟ ରାଜପଥ କାମର ଅଗ୍ରଗତି ନେଇ କେତେଥର ସମୀକ୍ଷା କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

Latest Posts

Don't Miss