ଦୁର୍ଘଟଣାର ହବ୍ ପାଲଟିଛି ଢେଙ୍କାନାଳ ଜିଲ୍ଲା, ଏନଏଚ-୫୫ ପାଲଟିଛି ମରଣ ଜନ୍ତା

1 min read

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳର ଏନଏଚ-୫୫ ପାଲଟିଛି ମରଣ ଜନ୍ତା । ଅଢେଇ ବର୍ଷରେ ଗଲାଣି ହଜାରେ ରୁ ଅଧିକ ଜୀବନ । ରାସ୍ତା ଅବସ୍ଥା ଏମିତି ଯେ ଗାଡି ତ ଗାଡି ଚାଲିକି ଯିବା ବି ମୁସ୍କିଲ୍ । ଆନ୍ଦୋଳନ,ରାସ୍ତାରୋକୋ,ଧାରଣା,ବିକ୍ଷୋଭ ପରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ସବୁଠାରୁ ବଡକଥା ହେଲା ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ସବୁଠାରୁ କଦର୍ଯ୍ୟ ହୋଇପଡେ । ଗୋଟିଏ ପଟେ ଏନଏଚ-୫୫ କାର୍ଯ୍ଯରେ ଶିଥିଳତା ଆଉ ଅନ୍ୟପଟେ ଜିଲ୍ଲା ପ୍ରଶାସନ,ଆଞ୍ଚଳିକ ପରିବହନ ବିଭାଗ ଓ ଏନଏଚ ବିଭାଗର ଅପାରଗତା ଏହି ସମସ୍ୟାକୁ ଦୁଇ ଗୁଣିତ କରିଛି। ଯାହାକୁ ନେଇ ଏବେ ରାଜରାସ୍ତାରେ ଦେଖିବାକୁ ମିଳୁଛି ରକ୍ତର ଛିଟା ।

ଦୁର୍ଘଟଣାର ହବ୍ ପାଲଟିଛି ଢେଙ୍କାନାଳ ଜିଲ୍ଲା। ଅଢେଇ ବର୍ଷରେ ଗଲାଣି ୧ ହଜାର ୭୭ରୁ ଅଧିକ ଜୀବନ। ପ୍ରତ୍ଯେକ ଦିନ ଗଡୁଛି ଅନେକ ମୁଣ୍ଡ । ଏହା ଭିତରେ ଅନେକ ଯାତ୍ରୀ ହୋଇ ଯାଇଛନ୍ତି ଅକର୍ମଣ୍ଯ । ପ୍ରତିଦିନ ନୀରିହ ଲୋକଙ୍କ ଜୀବନ ଯାଉଛି ।  କେତେ ଯେ ପିଲା ଅନାଥ ହୋଇଯାଇଛନ୍ତି ତାହା ହିସାବ ଦେଖିଲେ ଆପଣ ହୋଇଯିବେ ତାଯୁବ। କ୍ଷତିପୂରଣ, ଆଶ୍ଵାସନା, ଆଉ ତାପରେ ଯଥା ପୂର୍ବମ ତଥା ପରମ। ଏକଥା ଆମେ କହୁନୁ ଏକଥାକୁ ନିଜେ ସ୍ପଷ୍ଟ କରିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ।  ନଜର ପକାନ୍ତୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦେଇଥିବା ଦୁର୍ଘଟଣା ତାଲିକା ଉପରେ।

ଜିଲ୍ଲାରେ ଦୁର୍ଘଟଣା ରୋକିବା ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଅଫିସର। ରାସ୍ତାରେ ମଦ ପି ଗାଡ଼ି ଚଳାଇବା ,ଦୃତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରିବା, ହେଲମେଟ ଯାଞ୍ଚ କରିବା ଓ ଦୁର୍ଘଟଣା କିପରି ନହେବ ସେ ନେଇ ସ୍ଵତନ୍ତ୍ର ଟିମ ଧ୍ଯାନ ଦେବା କଥା କିନ୍ତୁ ଯାଞ୍ଚ ଆଳରେ ଅଧିକାରୀଙ୍କର କିଛି ଅଲଗା କାର୍ଯ୍ୟ ରହିଛି । ସେହିପରି ଦୁର୍ଘଟଣା ରୋକିବାକୁ ଜିଲ୍ଲାରେ ପ୍ରସ୍ତୁତ ହୋଇଛି ସଡକ ସୁରକ୍ଷା ଟିମ୍ । ଯାହା ପ୍ରତ୍ୟେକ ମାସରେ ଗୋଟିଏ ଥର ହେବା କଥା।

ଯେଉଁଥିରେ ଏନଏଚ ବିଭାଗ, କମିଟି ସଦସ୍ୟ, ଜିଲ୍ଲା ଏସପି ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ  ଅଧିକାରୀ ଉପସ୍ଥିତ ରହି ଦୁର୍ଘଟଣାର କାରଣ ଉପସ୍ଥାପନା କରିବା ସହିତ କିପରି ଦୁର୍ଘଟଣା ନହେବ ତାର ଉପରେ ଦୃଷ୍ଟି ଦେବା କଥା । ହେଲେ ବୈଠକ ପ୍ରତ୍ୟେକ ମାସରେ ନହେବା ଓ ବୈଠକରେ ଅଧିକାରୀ ମାନେ ନ ଯୋଗ ଦେବା ସଡ଼କ ସୁରକ୍ଷା ନିୟମକୁ ଉଲଘଂନ କରିବା ସହିତ କାଗଜ କଲମରେ ହିଁ କେବଳ ଦୁର୍ଘଟଣା ରୋକିବା ପାଇଁ ବ୍ୟବସ୍ଥା ଚାଲିଥିବା କଥା ସ୍ପଷ୍ଟ ହୋଇଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଡ଼କ ସୁରକ୍ଷା କମିଟି ସଦସ୍ୟ ରତନ କୁମାର ନାୟାର। ଏପଟେ ଏ ସମ୍ପର୍କ ରେ ଜିଲ୍ଲା ପରିବହନ ଅଧିକାରୀ କହୁଛନ୍ତି ଆମେ ସଚେତନା କରୁଛୁ। ଯଦି ସଚେତନା ହେଉଛି ତ କାହିଁକି ପ୍ରତ୍ୟେକ ଦିନ ରାସ୍ତାରେ ମୁଣ୍ଡ ଗଡୁଛି କାହିଁକି।