ଓଡ଼ିଆ ପୁଅ ସମ୍ଭାଳି ପାରନ୍ତି ସ୍ଥଳସେନା କମାଣ, ସୋସିଆଲ ମିଡ଼ିଆରେ ଏବେଠୁ ଶୁଭେଛା

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଏବେ ଠୁ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦଙ୍କୁ ଭୁରି ଭୁରି ଶୁଭେଛା  । ଆଗାମୀ ସେନାଧ୍ୟକ୍ଷ ନେଇ କେହି କେହି ଶୁଭେଛା ବାର୍ତ୍ତା ଜଣାଇଲେଣି  । ବର୍ତ୍ତମାନ ଚଣ୍ଡୀ ପ୍ରସାଦ ସେନାର ଉପମୁଖ୍ୟ ପଦବୀର୍ ରହିଛନ୍ତି । ଗତ ଜାନୁଆରୀରେ ସେ ଏହି ଦାୟିତ୍ୱ ନେଇଥିଲେ । ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବର୍ତ୍ତମାନର ସେନାମୁଖ୍ୟ ଏମଏମ ନରଓ୍ୱାଣେଙ୍କୁ ନିଯୁକ୍ତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ନରଓ୍ୱାଣେ ପରବର୍ତ୍ତୀ ସିଡିଏସ ହୁଅନ୍ତି ତେବେ ଚଣ୍ଡୀପ୍ରସାଦ ପରବର୍ତ୍ତୀ ସେନାମୁଖ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ନର୍ଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇକେ. ଯୋଶୀ ମଧ୍ୟ ସେନାମୁଖ୍ୟ ଦୌଡରେ ଅଛନ୍ତି ।

ଲେଫ୍ଟନାଣ୍ଟ ଜେନେ ରାଲ ମହାନ୍ତି ଓ ଯୋଷୀ ଗୋଟିଏ ବ୍ୟାଚର ହୋଇଥିବାବେଳେ ନରଓ୍ୱାଣେ ପରେ ଦୁହିଁଙ୍କ ରାଙ୍କ ସର୍ବୋଚ୍ଚରେ ରହିଛି । ସେନାଉପମୁଖ୍ୟ ଚଣ୍ଡୀପ୍ରସାଦଙ୍କ ଏଲଏସି ସମ୍ପର୍କରେ ଗଭୀର ଅଭିଜ୍ଞତା ରହିଥିବାବେଳେ ତାଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଲାଗି ଅଧିକ ଦାବିଦାର ମନେ କରାଯାଉଛି । ଚଣ୍ଡୀପ୍ରସାଦ ପରମବୀର ସେବା ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଆଦି ଉପାଧିରେ ଭୂଷିତ । ସେ ଗତ ଫେବ୍ରୁଆରୀ ୧ରେ ସେନାର ଉପମୁଖ୍ୟ ହୋଇଥିଲେ । ଜଗତସିଂହପୁରରେ ଜନ୍ମିତ ଚଣ୍ଡୀପ୍ରସାଦ ଜାତୀୟ ସ୍ତରରେ ଅନେକ ସମ୍ମାନ ସାଉଁଟିଛନ୍ତି ।

ସାଧାରଣ ଶିକ୍ଷା ଶେଷ କରିବା ପରେ ସେ ଡେରାଡୁନ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜରେ ପଢିଥିଲେ । ଏନଡିଏରେ ଶିକ୍ଷା ହାସଲ ପରେ ସେ ଓ୍ବେଲିଂଟନସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ପଢିଥିଲେ । ସେ ୧୯୮୨ରେ ରାଜପୁତ ରେଜିମେଣ୍ଟର ଦ୍ବିତୀୟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳରେ ସେ ଗୁରୁ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ କଙ୍ଗୋରେ ଜାତିସଂଘ ବ୍ରିଗେଡରେ ସାମିଲ ହୋଇଥିଲେ । ଏହା ସହ ସିଚେଲସରେ ସେ ସରକାରଙ୍କ ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ନେଇ ସୋସିଆଲ ମିଡ଼ିଆରେ ଶୁଭେଛା ଛୁଟିବାରେ ଲାଗିଛି  । ଆଗାମୀ ସେନାଧ୍ୟକ୍ଷ ନେଇ ପାରମ୍ପରିକ ଭାବେ କିମ୍ବା ସରକାରୀ ସୁତ୍ରରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବାବେଳେ ଖବରକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି  ।

Leave a Reply