ଛୁଟିଦିନରେ ଘରକୁ ଘର ବୁଲି ପୁରୁଣା ପେପର ସଂଗ୍ରହ କରୁଛନ୍ତି ଯୁବକ

କଟକ : ଖବର କାଗଜ ସାଜିଛି ଭିନ୍ନକ୍ଷମଙ୍କ ସାହାରା । ସାମାନ୍ୟ ଦାନ ଦେଇ ମନ ଜିତୁଛନ୍ତି ଦାତା । କଟକ ସହରର ଗୋଟିଏ କଲୋନୀରୁ ଆଉ ଗୋଟିଏ କଲୋନୀ ବୁଲି ଘରେ ଘରେ କିଛି ମାଗୁଥିବା ଏହି ଯୁବକମାନଙ୍କୁ ଦେଖନ୍ତୁ । ଅନ୍ଯକିଛି ନୁହେଁ, ଗତ ୭ବର୍ଷ ହେଲା ଏହି ଯୁବକମାନେ ଘରକୁ ଘର ବୁଲି ଲୋକଙ୍କୁ ପୁରୁଣା ଖବର କାଗଜ ସଂଗ୍ରହ କରୁଛନ୍ତି । ଏହାରି ପଛରେ ରହିଛି ତାଙ୍କର ମହତ ଉଦ୍ଦେଶ୍ୟ । ମାସକୁ ଚାରି ରବିବାର ସକାଳୁ ଦୁଇ ଘଣ୍ଟା ବୁଲି ବୁଲି ଲୋକଙ୍କ ଠାରୁ ପୁରୁଣା ଖବର କାଗଜ ନେଇ ତାକୁ ବିକ୍ରି କରନ୍ତି । ଆଉ ସେଥିରୁ ବାହାରୁଥିବା ଅର୍ଥରେ ଅସୁସ୍ଥ ଓ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର କିଣି ଉପହାର ଦିଅନ୍ତି । ତାଙ୍କର ଏହି ଉଦ୍ଦେଶ୍ୟକୁ ଦେଖି ଲୋକେ ମଧ୍ୟ ସେମାନଙ୍କ ଖବରକାଗଜ ଦେବାକୁ ଅପେକ୍ଷା କରିଥାନ୍ତି ।

କରୋନା ପୂର୍ବରୁ ସ୍ମାଇଲ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ଗଢି ଏପରି ଉଦ୍ଯମ ଆରମ୍ଭ କରିଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କିଛି ପରିବାର ତାଙ୍କୁ ସହାୟତା କରିଥିଲେ । ପରେ ୨୦୨୨ରୁ ବାଇକ ଧରି ଛୁଟିଦିନରେ ଖବରକାଗଜ ସଂଗ୍ରହ କରୁଛନ୍ତି । ଏହା ଭିତରେ ସେମାନେ ୫୦ ରୁ ଅଧିକ ଗରିବ, ନିସହାୟ ରୋଗୀଙ୍କୁ ସହାୟତା ଯୋଗାଇ ସାରିଲେଣି । ତାଙ୍କର ଏଭଳି ପ୍ରୟାସକୁ ଦେଖି ଅନେକ ଲୋକ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । କର୍ମମୟ ଜୀବନରୁ ସମୟ କାଢି ଯୁବକମାନେ କରୁଥିବା ଏପରି ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି । .