ନବୀନ ନିବାସରେ ବର୍ଷା, ବିଜୟୀ ପରେ ନେଲେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ

1 min read

ଭୁବନେଶ୍ୱର: ବିଜୟୀ ହେବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା  । ପଦମପୁର ଉପ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା  । ପଦମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ହୋଇଥିଲା ଉପ-ନିର୍ବାଚନ  । ବିଜେଡି ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ କନ୍ୟା ବର୍ଷାଙ୍କୁ ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ୍ଣ କରିଥିଲା  । ଡିସେମ୍ବର ୫ ତାରିଖରେ  ପଦମପୁର ଉପନିର୍ବାଚନ ହୋଇଥିବାବେଳେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇଥିଲା ଫଳାଫଳ  । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା   । ବର୍ଷାଙ୍କ ବିଜୟରେ ଶୁଭେଛା ଜଣାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

 

ସେପଟେ ନବ ନିର୍ବାଚିତା ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି ଭୁବନେଶ୍ୱରସ୍ଥିତ ଶାଶୂ ଘରକୁ ଆସି ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଇଥିଲେ  । ପରେ ସେ ନବୀନ ନିବାସ ଅଭିମୁଖେ ଗସ୍ତ କରିଥିଲେ  । ନବୀନ ନିବାସ ବାହାରେ ବିଜେଡିର ଅନେକ ତୁଙ୍ଗ ନେତା ବର୍ଷାଙ୍କୁ ପୁଷ୍ପ ଗୁଛ ଦେଇ ଶୁଭେଛା ଓ ସ୍ୱାଗତ କରିଥିଲେ  । ପରେ ବର୍ଷା ସିଂ ବରିହା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ  । ଏଥି ସହିତ ପଦମପୁରର ବିକାଶ ନିମନ୍ତେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି  । ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମାଧ୍ୟମରେ ବର୍ଷାଙ୍କୁ ଶୁଭେଛା ଜଣାଇବା ସହ ବର୍ଷାଙ୍କୁ ମିଥ୍ୟା ଅପବାଦ ଦେଇଥିବା ବିରୋଧୀ ଶିବିରକୁ କଡା ଜବାବ ଦେଇଥିଲେ  ।

ମୁଖ୍ୟମନ୍ତ୍ରୀ ନିଜେ ଖୁବ କମ୍ ଦିନ ମଧ୍ୟରେ ପଦମପୁର ଗସ୍ତ କରିବେ ବୋଲି ଘୋଷଣା କରିଥିଲେ  । ଏଥି ସହିତ ମହିଳା ମାନଙ୍କୁ ସମ୍ମାନ ଦେଇ ଗଣତାନ୍ତ୍ରିକ ମହା ପର୍ବରେ ସାମିଲ କରିବାକୁ ବିଜେଡି ଯେପରି ସୁଯୋଗ ଦେଇଥିଲା, ତାହା ଉଲ୍ଲେଖନୀୟ ବୋଲି କହିଥିଲେ  । କିନ୍ତୁ ବିରୋଧ ଦଳ ଯେପରି ଜଣେ ମହିଳାଙ୍କୁ ବାରମ୍ବାର ଅପପ୍ରଚାର ମାଧ୍ୟମରେ କଷ୍ଟ ଓ ଲାଞ୍ଛନା ଦେଇଥିଲା ତାହା ଗଣତନ୍ତ୍ରରେ ସ୍ପୃହଣୀୟ ନୁହେଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ଆଜି ବର୍ଷା ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଯାଇଥିବାବେଳେ ସାଥିରେ ଅଛନ୍ତି ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ, ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ  ।