ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି

1 min read

ଭୁବନେଶ୍ବର: ଆଜିଠୁ ଶପଥ ନେବେ ନବ ନିର୍ବାଚିତ ବିଧାୟକ । ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ଶପଥ ଗ୍ରହଣ ଉତ୍ସବ। ବିଧାନସଭାରେ ପ୍ରୋ-ଟେମ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଆସନ୍ତା ୨୦ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

ଏଥର ସର୍ବାଧିକ ନୂଆ ବିଧାୟକ ନିର୍ବାଚିତ ହୋଇଥିବାରୁ ବିଧାନସଭାରେ ବିରୋଧୀ ଓ ଶାସକ ଦଳର ପ୍ରଦର୍ଶନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ ।

୧୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ । ଶଙ୍ଖ ଭବନରେ ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବ ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । କଂଗ୍ରେସ ମଧ୍ୟ ଏଥର ବିଧାନସଭାରେ ଶାଣିତ ସ୍ବର ଉଠାଇବ । କଂଗ୍ରେସର ୧୪ ଜଣ ବିଧାୟକ ଏକଜୁଟ ହୋଇ ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବା ସହ ଲୋକଙ୍କ ସମସ୍ୟା ପାଇଁ ଲଢେଇ କରିବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ଆମେ ସାମ୍ନା କରିବୁ ବୋଲି ଶାସକ ବିଜେପି କହିଛି ।