ଆସନ୍ତାକାଲି ଶପଥ ନେବେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ

ଭୁବନେଶ୍ୱର: ଆସନ୍ତାକାଲି ଶପଥ ନେବେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ଆସନ୍ତାକାଲି ସକାଳ ୧୦.୪୫ରେ ଝାରସୁଗୁଡ଼ା ବିଧାୟିକା ଭାବରେ ଶପଥ ଗ୍ରହଣ କରିବେ ଦୀପାଳି ଦାସ । ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥ ପାଠ କରାଇବେ । ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ।

ବିପୁଳ ଭୋଟରେ ବିଜୟଲାଭ ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଦୀପାଳି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଆଶୀର୍ବାଦ ନେଇଛନ୍ତି । ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଦୀପାଳି କହିଥିଲେ ଯେ ଏ ବିଜୟ ଝାରସୁଗୁଡାବାସୀଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି  । ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜର ସ୍ବପ୍ନ ପୂରଣ ହେବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି ।