୧୯୨୯ କଲ ସେଣ୍ଟର ପରିଦର୍ଶନ କଲେ ବିଏମସିର ନୂତନ କମିଶନର

1 min read

ଭୁବନେଶ୍ୱର: ୧୯୨୯ କଲ ସେଣ୍ଟର ପରିଦର୍ଶନ କଲେ ସ୍ମାର୍ଟସିଟି ସିଇଓ ତଥା ବିଏମସିର ନୂତନ କମିଶନର ସଞ୍ଜୟ ସିଂ। ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂ ଦାୟିତ୍ୱ ଗ୍ରହଣ ପରେ ୧୯୨୯ କଲ ସେଣ୍ଟର ପରିଦର୍ଶନ କରିଛନ୍ତି।

କୋଭିଡ ସଂକ୍ରମଣ ଓ ସଂକ୍ରମିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ପରାମର୍ଶ ଓ ଦିଗଦର୍ଶନ ଦେଉଥିବା ବିଏମସିର ୨୪ ଘଣ୍ଟିଆ ହେଲ୍ପ ଡେସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ବର୍ତ୍ତମାନ ସୁଦ୍ଧା କଲ ସେଣ୍ଟରକୁ ମୋଟ ୩୫ ହଜାର ୦୬୮ଟି କଲ ଆସିଥିବା ବେଳେ ୩୧ ହଜାର ୩୩୪ଟି ଗ୍ରହଣ କରାଯାଇଛି ଓ ୮୫୫୧ ଜଣଙ୍କୁ ସ୍ବାସ୍ଥ୍ୟଗତ ପରାମର୍ଶ ଦିଆଯାଇଛି।

ଏହା ଜାଣିବା ପରେ କଲ ଡ୍ରପ ସଂଖ୍ୟାକୁ ହ୍ରାସ କରିବାକୁ ସେ କଲ ସେଣ୍ଟର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ମୋଟ ୨୫ଟି ହେଲ୍ପ ଡେସ୍କ ସଂଖ୍ୟାକୁ ୩୦କୁ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 1929 କଲ ସେଣ୍ଟରରେ ଅହରହ କାର୍ଯ୍ୟରତ ଡାକ୍ତର ଓ ଏକଜିକ୍ୟୁଟିଭଙ୍କ ଆରାମ ବା ବିଶ୍ରାମ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ପ୍ରକୋଷ୍ଠ ରଖିବାକୁ ସେ କହିଛନ୍ତି।

ସେହିପରି ସମ କୋଭିଡ ହସ୍ପିଟାଲରେ ୬ଟି, କିମ୍ସରେ ୫ଟି, ହାଇଟେକରେ ୩ଟି ଓ ଆଦିତ୍ୟ ଅଶ୍ବିନୀ ଓ ବ୍ଲୁ ହୁଇଲ କୋଭିଡ ହସ୍ପିଟାଲରେ ଗୋଟିଏ ଲେଖାଏଁ ହେଲ୍ପ ଡେସ୍କ ୧୯୨୯ କଲ ସେଣ୍ଟର ସହ ସଂଯୋଗ କରୁଥିବା ସେ ଜାଣିବାକୁ ପାଇଥିଲେ। ଏହି ସବୁ ହେଲ୍ପ ଡେସ୍କକୁ ଅଧିକ କ୍ରିୟାଶୀଳ କରି ଏହା ଜରିଆରେ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସେମାନଙ୍କ ସମ୍ପର୍କୀୟଙ୍କୁ ନିୟମିତ ବ୍ୟବଧାନରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ ଏହି କଲ ସେଣ୍ଟରରେ ଦିନରେ ୭ ଜଣ ଓ ରାତିରେ ୪ ଜଣ ଡାକ୍ତର ରହିବା ସହ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କର ଏକଜିକ୍ୟୁଟିଭମାନଙ୍କ ଯୋଗାଯୋଗରେ ସୁବିଧା ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ବିଏମସି କମିଶନର ସଞ୍ଜୟ ସିଂ ନିର୍ଦେଶ ଦେଇଛନ୍ତି।

 

Leave a Reply