ସୁସ୍ଥ ହେଉଛି ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା, ପ୍ରଥମଥର ପାଇଁ ପିଇଲା କ୍ଷୀର
1 min read
ବୁର୍ଲା: ସୁସ୍ଥ ହେଉଛି ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା। ଧୀରେ ଧୀରେ ତାର ସଂକ୍ରମଣ କମୁଥିବାବେଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ପ୍ରଥମଥର କରି ଶିଶୁକନ୍ୟାଟିକୁ କ୍ଷୀର ପିଇବାକୁ ଦିଆଯାଇଛି। ସ୍ବତନ୍ତ୍ର ଡାକ୍ତରୀ ଦଳର ଅବଜର୍ଭେସନରେ ଶିଶୁଟି ରହିଥିବା ନେଇ ଭିମସାର ଅଧିକ୍ଷକ ସୂଚନା ଦେଇଛନ୍ତି।
ତେବେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାର ପେଟ ଫୁଲୁଥିବା ଜଣାପଡ଼ିଛି। ଗତକାଲି ଅଲଟ୍ରାସାଉଣ୍ଡ ରିପୋର୍ଟରେ ଇଣ୍ଟରନାଲ ବ୍ଲିଡିଂ ହେଉଥିବା ସୂଚନା ମିଳିଥିଲା । ଯାହାକି ବର୍ତ୍ତମାନ କମିବା ସହିତ ଶିଶୁଟି ସୁସ୍ଥ ହେଉଛି।
ଅଧିକ ପଢନ୍ତୁ:- ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ଫୁଲୁଛି ପେଟ, ଭିମସାରର SNCUରେ ଚିକିତ୍ସା ଜାରି ରହିଛି
ଉଲ୍ଲେଖଯୋଗ୍ୟ, ଶିଶୁ କନ୍ୟା ଫସିଥିଲା ବୋରଓ୍ବେଲଟି ୫୦ ବର୍ଷ ତଳେ ଖୋଳା ଯାଇଥିଲା। ବିଗତ ୨୫ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ। ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ। ତେବେ ଶିଶୁଟିକୁ ଉଦ୍ଧାର କରାଯିବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲି ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଉଦ୍ଧାରକାରୀ ଦଳର କହିବା ଅନୁସାରେ, ବୋରଓ୍ବେଲ ନିକଟରେ ୧୭ରୁ ୧୮ ଫୁଟର ଗାତ ଖୋଳାଯାଇଥିଲା। ନବଜାତକଟି କେଉଁଠି ଅଛି ସେନେଇ ଭିକ୍ଟିମ ଲୋକେସନ କ୍ୟାମେରାରେ ଟ୍ରାକ କରାଯାଇଥିଲା । ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଇପକୁ ତଳୁ କଟାଯାଇଥିଲା । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପାଇପ ତଳେ ଏକ କନା ବିଛାଯାଇଥିଲା । ପାଇପ ଭିତରେ ଏକ କାଚ ବୋତଲ ଓ ତା ଉପରେ ଥିବା ଏକ ପ୍ଲାଷ୍ଟିକ ଉପରେ ଶିଶୁ କନ୍ୟାଟି ଅଟକି ରହିଥିଲା । ବୋତଲକୁ କାଢ଼ି ଦେବା ପରେ ଶିଶୁ କନ୍ୟାଟି ଉଦ୍ଧାରକାରୀ ଦଳଙ୍କ ହାତକୁ ଖସି ଆସିଥିଲା। ପରେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନର ରେସ୍କ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାରୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି।