୪ ଝିଅ ପରେ ହୋଇଥିବା ପୁଅ ମେଡିକାଲରୁ ଚୋରି

ପାଟନା: ୪ଟି ଝିଅ ପରେ ଘରକୁ ଆସିଥିଲା ଶିଶୁପୁତ୍ର । ପୁଅ ଜନ୍ମ ହୋଇଥିବାରୁ ପରିବାର ଲୋକଙ୍କ ଖୁସି କହିଲେ ନସରେ । ହେଲେ ଏହି ଖୁସି ବେଶି ସମୟ ରହିଲା ନାହିଁ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏସଏନସିୟୁରୁ ଚୋରି ହୋଇଗଲା ନବଜାତ ଶିଶୁପୁତ୍ର । ଏବେ ପିଲା ପାଇଁ କାନ୍ଦି କାନ୍ଦି ପୂରା ପରିବାରର ହାଲ ବେହାଲ ।

ଘଟଣାଟି ଘଟିଛି ବିହାରର ସ୍ବାମୀ ସଦର ହସ୍ପିଟାଲରେ । ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଏକ ନବଜାତ ଶିଶୁପୁତ୍ର ଚୋରି ହେବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ପୋଲିସ ପିଲାଟିକୁ ଖୋଜିବାରେ ଲାଗିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳାକୁ ସ୍ବୀକାର କରିବା ବଦଳରେ ପରିବାର ଲୋକଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି ।

ଅଭିଯୋଗ ଅନୁସାରେ, ମହାରାଜଗଞ୍ଜ ଥାନା ଅଞ୍ଚଳର ଗୌର ଗାଁର ମିଷ୍ଟର ଅଲ୍ଲିଙ୍କ ପତ୍ନୀ ଅଫସାନା ୪ଟି ଝିଅ ପରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।  ପିଲାଟିକୁ ହସ୍ପିଟାଲର ଏସଏନସିୟୁ ଓ୍ବାର୍ଡରେ ରଖାଯାଇଥିଲା । ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଜଣାପଡିଲା ଶିଶୁପୁତ୍ର ଏସଏନସିୟୁ ଓ୍ବାର୍ଡରେ ନାହିଁ ।

ଏହି ଖବର ଜାଣିବା ପରେ ଶିଶୁର ପରିବାର ଗୋଡ଼ ତଳୁ ଯେମିତି ମାଟି ଖସି ଯାଇଥିଲା । ପୁଅ ହୋଇଥିବା ଖୁସି ଦୁଃଖରେ ପରିଣତ ହୋଇଯାଇଥିଲା । ମାଆ ଅଫସାନା ଖାତୁନ ପିଲାକୁ ଝୁରି ଝୁରି କେବଳ କାନ୍ଦୁଛନ୍ତି ।

ଆଶା କର୍ମୀ ଜେନବ ଖାତୁନ କହିଛନ୍ତି, ‘ପିଲା ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ଇମ୍ପିଆଜ ନାମକ ଯୁବକ ପିଲାକୁ ନେଇ ଯାଇଥିବା କୁହାଯାଉଛି ।’ ତେବେ ପିଲାର ପରିବାର ଲୋକେ କୌଣସି ଇମ୍ପିଆଜଙ୍କୁ ଜାଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ପିଲା ଜଣଙ୍କର ହୋଇଥିବା ବେଳେ ଅନ୍ୟଜଣେ ଅଚିହ୍ନା ବ୍ୟକ୍ତି କେମିତି ପିଲାଟିକୁ ମେଡିକାଲରୁ ନେଇଗଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଓ କାହିଁକି ଶିଶୁଟିକୁ ଅଚିହ୍ନା ବ୍ୟକ୍ତି ଦେଇଦେଲେ ? ପିଲା ଚୋରି ପଛରେ କୌଣସି ରାକେର ହାତ ଅଛି କି ? ଏହି ଚୋରି ପଛରେ ମେଡିକାଲ କର୍ମଚାରୀଙ୍କ ହାତ ରହିଛି କି ? ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ମେଡିକାଲ କର୍ତ୍ତୃପକ୍ଷ ଭୁଲ ସ୍ବୀକାର କରିବା ବଦଳରେ ପରିବାର ଲୋକଙ୍କ ଉପରେ ଦୋଷ ଲଦିବାରେ ଲଦିବାରେ ଲାଗିଛନ୍ତି । ଏନଆଇସିୟୁ ଓ୍ବାର୍ଡରେ ସେ ସମୟରେ ଡ୍ୟୁଟିରେ ଥିବା ଡକ୍ତର ଅମିତ କୁମାର କହିଛନ୍ତି, ‘ସନ୍ଧ୍ୟା ୬ଟା ୩୪ ମିନିଟରେ ପିଲାର ପରିବାର ଲୋକେ ଆସି ତାକୁ ନେଇଗଲେ । ରେଜିଷ୍ଟ୍ରରରେ ଏହା ଉଲ୍ଲେଖ ହୋଇଛି ।’

ଏହାସହ ସେ କହିଛନ୍ତି, ‘ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଇ ଚୋରକୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

Leave a Reply