ଭୁବନେଶ୍ବର: ଉତ୍ସାହ ଅଛି ହେଲେ ଉତ୍ସବ ନାହିଁ । ନବବର୍ଷ ମଉଜରେ ଏଥର ବି କଣ୍ଟା ସାଜିଛି ମହାମାରୀ କରୋନା । ହେଲାନି ଜିରୋ ନାଇଟ୍ ସେଲିବ୍ରେସନ । ହୋଟେଲ୍ କି ବାରରେ ପାଳନ ହେଲାନି ନୂଆବର୍ଷ । ମନ୍ଦିରରେ ବି ଲାଗିଲାନି ଗହଳି ଚହଳି । କାରଣ କରୋନାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ବଣଭୋଜି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିବା ବେଳେ ଏକାଠି ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଣସି ସ୍ଥାନରେ ଅଧିକ ଗହଳି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାର୍କ, କ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ବନ୍ଦ ସହ ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ବାର୍ ଓ ହୋଟେଲଗୁଡିକ ଉପରେ କଡ଼ା ନଜର ରଖାଯାଇଛି ।

ବିଭିନ୍ନ ସ୍ଥାନରେ ରାତି ସମୟରେ ଚଢାଉ କରିଛି ସ୍ପେଶାଲ୍ ଟିମ୍ । ଭୁବନେଶ୍ବରରେ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି  । ଗାଇଡଲାଇନକୁ କଡାକଡି କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ ୧୩ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଛି । ସ୍କ୍ବାର୍ଡରେ ବିଏମସି, କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ସାମିଲ ହୋଇଛନ୍ତି । ଅମାନିଆଙ୍କ ବିରେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଫାଇନ୍ ଆଦାୟ କରାଯାଉଛି ।

ସେପଟେ ଗହଳିକୁ ଦୃଷ୍ଟିରେ ରଖି  ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ ରହିଛି । ଶ୍ରୀମନ୍ଦିରକୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଭୁବନେଶ୍ବରର ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ କଟକଣା ଜାରି ହୋଇଛି । ନନ୍ଦନକାନନ, ମ୍ୟୁଜିୟମ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ।

Leave a Reply