ବିଶ୍ୱକୁ ପୁଣି ଚୀନ୍ ଭୂତାଣୁ ଭୟ, କରୋନା ପରେ ମାଡୁଛି ଆଉ ଏକ ଭାଇରସ୍

ବେଜିଂ: ବିଶ୍ୱକୁ ପୁଣି ଚୀନ୍ ଭୂତାଣୁ ଭୟ । କରୋନା ପରେ ଚୀନରେ ମାଡ଼ୁଛି ଆଉ ଏକ ଘାତକ ଭାଇରସ୍ । ଦକ୍ଷିଣ ଚୀନ୍ ସହରରେ ଲାଙ୍ଗ୍ୟା ହେନିପାଭାଇରସକୁ ନେଇ ଆତଙ୍କ । ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଏହି ଭୂତାଣୁ କାୟା ବିସ୍ତାର କରୁଛି । ପ୍ରାଣୀଠାରୁ ଏହି ଭୂତାଣୁ ଜାତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଆକ୍ରାନ୍ତଙ୍କଠାରେ ଜ୍ୱର ହେବା ଥକ୍କା ଲାଗିବା କାଶ ଓ ବାନ୍ତି ଆଦି ଲକ୍ଷଣ ଦେଖାଯାଉଛି । ଏବେ ସୁଦ୍ଧା ଏହି ଭୂତାଣୁର ଚିକିତ୍ସା ପାଇଁ କିଛି ଔଷଧ ବା ଟିକା ବାହାରି ନଥିବା ବେଳେ ସଂକ୍ରମିତଙ୍କ ଆବଶ୍ୟକ ଦେଖାରେଖା କରାଯାଉଛି ।

ତେବେ ସଂକ୍ରମଣ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେ ଦିଗରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ୩୫ ଜ୍ୱର ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ପରେ ୨୬ ଜଣ ଏହି ଘାତକ ଭୂତାଣୁରେ ସଂକ୍ରମିତ ଥିବା ରିପୋର୍ଟ ଆସିଛି । ଚୀନରେ ଚିହ୍ନଟ ନୂଆ ଭୂତାଣୁ ଅତ୍ୟଧିକ ମାରାତ୍ମକ ନୁହେଁ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡ୍ୟୁକ ନସ୍ ମେଡିକାଲ ସ୍କୁଲ ପ୍ରଫେସର ଓ୍ୱାଙ୍ଗ ଲିନଫା କହିଛନ୍ତି ।