ଟ୍ରାକରୁ ଜମ୍ପ ମାରିଲେ ଦୂତୀ, ଦୌଡରାଣୀରୁ ସାଜିଲେ ହୋଟେଲ ମାଲିକାଣୀ

ଭୁବନେଶ୍ୱର : ସାରା ଦେଶର ଦ୍ରୁତତମ ଧାବିକା ସେ । ରେକର୍ଡ ପରେ ରେକର୍ଡର ଅଧିକାରୀ ହେଉଛନ୍ତି । କେଉଁ ମେଗାଜିନର କଭର ପେଜରେ ସେ ଥାନ୍ତି ତ ଆଉ କେତେବେଳେ, ଟପ୍ ଭାରତୀୟ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଥାଏ ତାଙ୍କ ନାଁ ।  ଟ୍ରାକରେ ୧୦୦ ମିଟର ରନିଂ ଇଭେଣ୍ଟରେ ଚମକୁଥିବା ଦୂତୀ ଏବେ ଆଉ ଏକ ବଡ଼ ଉଡ଼ାଣ ଆରମ୍ଭ କରିଛନ୍ତି । ଟ୍ରାକରେ ଟକ୍କର ପରେ ଏବେ ବିଜନେସର ନୂଆ ରେସ୍ । ରାଜଧାନୀ ସମେତ ସାରା ରାଜ୍ୟରେ ୧୦୦ଟି ହୋଟେଲ ଓପନ୍ କରି ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି ଓ ଓଡ଼ିଆ ଝିଅ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ଟି ହୋଟେଲ ଖୋଲିଥିବା ବେଳେ ଆଉ ୯୮ ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ଦୌଡ଼ରାଣୀ ଦୁତୀ ଚାନ୍ଦ।

ଦୂତି ଚାନ୍ଦ, ଦେଶର ଦ୍ରୁତତମ ଧାବିକା

ଧାବିକାରାଣୀ ଦୁତୀଚାନ୍ଦ, ସାରା ଦେଶର ଏକ ଚର୍ଚ୍ଚିତ ଏବଂ ଜଣାଶୁଣା ଚେହେରା । ସେ ଖେଳ ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ସର୍ବଦା ସେ ଚର୍ଚ୍ଚାରେ ହିଁ ରହିଥାନ୍ତି । କ୍ରୀଡ଼ା କ୍ଷେତ୍ରରେ ଅନେକ ସଫଳତା ସାଉଁଟି ଶୀର୍ଷରେ ପହଞ୍ଚିଥିବା ଦୁତୀ ଏବେ ନୂଆ ରାସ୍ତାରେ ପାଦ ଥାପିଛନ୍ତି। ଦୁତୀ ନୂଆ କରି ହୋଟେଲ୍‌ ବିଜନେସରେ ପ୍ରବେଶ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ଡିଟି ଡିଲାଇଟ୍ସ’ ନାଁରେ ଏବେ ଦୁତୀ ଦୁଇଟି ହୋଟେଲ ଖୋଲିଛନ୍ତି। ବର୍ତ୍ତମାନ ଗୋଟିଏ ହୋଟେଲ ଶୈଳଶ୍ରୀ  ବିହାରରେ ଏବଂ ଅନ୍ୟଟି ଏମ୍ସ ନିକଟରେ ଖୋଲାଯାଇଛି। ଆଗାମୀ ଦିନରେ ଦୁତୀ ଆହୁରୀ ୯୮ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି।

ଦୂତିଙ୍କ ହୋଟେଲ୍

ଦୁତୀଙ୍କ ମତରେ ଟ୍ରାକରେ ଯେପର୍ଯ୍ୟନ୍ତ ଭଲ ଖେଳୁଥିବେ ଏହି ଲାଇନରେ ତିଷ୍ଠି ରହିବ, ଯେବେ ପ୍ରଦର୍ଶନ ଖରାପ ହେବ ସେତେବେଳେ ଆଉ କେହି ପଚାରିବେ ନାହିଁ । ନିଜ ଭବିଷ୍ୟତ କଥା ଚିନ୍ତା କରିବା ସହ ଅନେକ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ଏଭଳି ନିଷ୍ପତି ନେଇଛନ୍ତି ଦୂତି । ଏସିଆନ୍ ଗେମ୍ସର ସଫଳତା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥ ଦେଇଥିଲେ ସେହି ଟଙ୍କାରେ ଏହି ବ୍ୟବସାୟ୍ ଆରମ୍ଭ କରିିଥିବା କହିଛନ୍ତି ଦୁତୀ ।

ସେ ଆହୁରି କହିଛନ୍ତି ଯେ, ସେ ପ୍ରଥମ ସେଲିବ୍ରିଟି ନୁହନ୍ତି ଯେ ବ୍ୟବସାୟ କରୁଛନ୍ତି, ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଆଥଲେଟ୍  ବ୍ୟବସାୟକୁ ଓହ୍ଲାଇ ସାରିଛନ୍ତି। ତେଣୁ ହୋଟେଲ୍ ବିଜନେସ ସହଜ ଏବଂ ଲାଭଦାୟକ ହୋଇଥିବାରୁ ଏଥି ପ୍ରତି ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି। ଆସନ୍ତା ୨ରୁ ୩ ବର୍ଷ ଭିତରେ ୧୦୦ଟି ହୋଟେଲ ଖୋଲିବ, ଯାହା ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ତିଆରି ହେବାକୁ ଯୋଜନା ରଖାଯାଇଥିବା ଦୂତି କହିଛନ୍ତି ।

Leave a Reply