୨୩ ଦେଶରେ କରୋନା ଭୂତାଣୁ ଓମିକ୍ରନ୍ ଆତଙ୍କ

ଭୁବନେଶ୍ବର: ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଡେଉଁଛି କରୋନ ଭୂତାଣୁ ଓମିକ୍ରନ୍ । ନୂଆ ଭୂତାଣୁ ଆତଙ୍କରେ ଥରହର ସାରା ଦୁନିଆ । ଡେଲଟା ପ୍ରଭାବ ସମ୍ପୂର୍ଣ୍ଣ ହ୍ରାସ ପାଇ ନଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ନୂଆ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇ ଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ସ୍ଥିତି କେତେ ସଙ୍ଗୀନ ହେବାକୁ ଯାଉଛି ତାହା ପ୍ରକାଶ କରୁଛି ।

ସଂଗଠନର ଜରୁରୀକାଳୀନ ବିଭାଗ ନିର୍ଦ୍ଦେଶକ ମାଇକ ରିଆନ କହିଛନ୍ତି, ‘ଦକ୍ଷିଣ ଆଫ୍ରିକାକୁ ବିମାନ ଯିବା ଓ ଆସିବା ଉପରେ କଟକଣା ଜାରି କଲେ ବି ଭୂତାଣୁର ସଂକ୍ରମଣକୁ ରୋକି ହେବ ନାହିଁ ।’ ବିଭିନ୍ନ କାରଣକୁ ଆଧାର କରି ସେ ଏହା କହିଛନ୍ତି ।

ସେପଟେ ଆସନ୍ତା କିଛିଦିନ ଭିତରେ ଓମିକ୍ରନକୁ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଷୟିକ କମିଟି ମୁଖ୍ୟ ମାରିଆ ଭାନ କେରଖୋଭ । ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଓମିକ୍ରନର ଶକ୍ତି ଡେଲଟାଠାରୁ ଅଧିକ ।’

ବିଶ୍ବର ୨୩ଟି ରାଷ୍ଟ୍ରକୁ ଏହି ଭୂତାଣୁ ବ୍ୟାପୀ ଥିବାବେଳେ କେବଳ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୬୦୦କୁ ବୃଦ୍ଧି ପାଇଛି । ସଂକ୍ରମଣ ହାର ଡେଲଟା ଭାରିଆଣ୍ଟ ସଂକ୍ରମଣ ତୁଳନାରେ ଅଧିକ ହେଉଥିବାରୁ ଆଗକୁ ପୁଣି ବଡ଼ ବିପତ୍ତି ଆସିବା ଆଶଙ୍କା ଦେଖାଯାଉଛି । ଆମେରିକା କାଲିଫର୍ଣ୍ଣିଆରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କତା ଜାରି କରାଯାଇଛି । ମଡର୍ଣ୍ଣାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଜଣେ ଆମେରିକୀୟ ଦକ୍ଷିଣ ଆଫ୍ରିକାରୁ ଫେରି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫଉସି । ଉକ୍ତ ଭୂତାଣୁର ଜିନୋମ ସିକ୍ୟୁଏନସିଂ ପରେ ତାହା ଓମିକ୍ରନ ବୋଲି ସ୍ପଷ୍ଟ ହୋଇଥିଲା ।

Leave a Reply