ନନ୍ଦିଘୋଷ ବ୍ୟୁରୋ: ଟାରିଫ ଝଟକା ପରେ ଏବେ ସ୍ବାସ୍ଥ୍ୟଗତ ସମସ୍ୟା ଝଟକା। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରଶାସନର ନୂଆ ନୀତି ସାରା ବିଶ୍ବବାସୀଙ୍କୁ ପକାଇଛି ଚିନ୍ତାରେ। ଯଦି ମଧୁମେହ, ହୃଦରୋଗ, ମୋଟାପଣ ରହିଛି ତେବେ ଆମେରିକୀୟ ଭିସା ମିଳିପାରିବ ନାହିଁ। ହୃଦଗତ, ସ୍ନାୟବିକ, ଶ୍ବାସପ୍ରଶ୍ବାସଗତ ଓ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ଏଣିକି ଭିସା ମିଳି ନପାରେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କନସଲାର ଅଫିସିଆଲଙ୍କୁ ସୂଚନା ଦିଆଯାଇଛି। ଦୀର୍ଘକାଳୀନ ଭାବେ ଚାଲିଆସିଥିବା ନିୟମରେ ଏବେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି।
ନୂଆ ଭିସା ନୀତିରେ ସଂକ୍ରମିତ ରୋଗ ସମ୍ପର୍କରେ ବି କଟକଣା ଜାରି କରାଯାଇଛି। ଇମିଗ୍ରେସନ ବିରୋଧରେ କଡ଼ା ଆଭମୁଖ୍ୟ ଗ୍ରହଣ ଖରିଥିବା ଟ୍ରମ୍ପ ପ୍ରଶାସନର ଏହି ସ୍ବାସ୍ଥ୍ୟଗତ କଟକଣା ଆମେରିକାକୁ ଯିବାକୁ ଥିବା ଆଶାୟୀଙ୍କ ଲାଗି ଚାଲେଞ୍ଜ ସୃଷ୍ଟି କରିଛି। H-1B ଭିସା ଫି ପରିମାଣ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଥିବା ଟ୍ରମ୍ପ ପ୍ରଶାସନର ଏହି ଝଟକା ଚର୍ଚ୍ଚାର କାରଣ ହୋଇଛି। ସେପଟେ ଭିସା ଯୋଜନାରେ ୧୭୫ଟି ନିୟମ ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ କରିଛି ଟ୍ରମ୍ପ ପ୍ରଶାସନ।

