ନୂଆ ଟିମ ଗଠନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର

1 min read

ନନ୍ଦିଘୋଷ ବ୍ୟୁରୋ: ନୂଆ ଟିମ ଗଠନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର। ରାଚେଲ ରିଭେସ ହୋଇଛନ୍ତି ବ୍ରିଟେନର ପ୍ରଥମ ମହିଳା ଚାନସେଲର। ଆଞ୍ଜେଲା ରେନର ହୋଇଛନ୍ତି ଉପପ୍ରଧାନମନ୍ତ୍ରୀ। ୟେଭେତ କୁପରଙ୍କୁ କରାଯାଇଛି ଗୃହମନ୍ତ୍ରୀ। ଡାଭିଡ ଲାମିଙ୍କୁ ଦିଆଯାଇଛି ବୈଦେଶିକ ମନ୍ତ୍ରୀ ଦାୟିତ୍ବ। ଜୋନାଥନ ରେନଓଲ୍ଡସଙ୍କୁ ବ୍ୟବସାୟ ଓ ବାଣିଜ୍ଯ ମନ୍ତ୍ରୀ। ପିଟର କେଲି ହୋଇଛନ୍ତି ବିଜ୍ଞାନ, ଉଦ୍ଭାବନ ଓ ବୈଷୟିକ ମନ୍ତ୍ରୀ। ଲୁଇ ହେଗଙ୍କୁ ପରିବହନ, ଲିଜ କେଣ୍ଡାଲଙ୍କୁ କର୍ମ ଓ ପେନସନ ବିଭାଗ ମନ୍ତ୍ରୀ। ଦେଶକୁ ନୂଆ ଦିଶା ଦେବେ ଲେବର ପାର୍ଟି ପ୍ରଧାନମନ୍ତ୍ରୀ କେର୍ ଷ୍ଟର୍ମର। ୧୦- ଡାଉନିଂ ଷ୍ଟ୍ରିଟରୁ ବିଶ୍ବର ଅନ୍ଯତମ ଶକ୍ତିଶାଳୀ ଦେଶ ୟୁନାଇଟେଡ କିଙ୍ଗଡମରେ ରାଜ କଲେ ଷ୍ଟର୍ମର। ସେ କହିଛନ୍ତି- ତାଙ୍କ ଦଳର କାର୍ଯ୍ୟ ଏବେଠାରୁ ହିଁ ଆରମ୍ଭ ହେବ। ନିର୍ବାଚନରେ ଲେବର ପାର୍ଟିକୁ ୪୧୨ ଓ କନଜରଭେଟିଭ ପାର୍ଟିକୁ ମାତ୍ର ୧୨୧ ଆସନ ମିଳିଛି । ନିର୍ବାଚନରେ ପରାଜୟ ସ୍ବୀକାର କରିଛନ୍ତି ଋଷି ସୁନକ । ବ୍ରିଟେନରେ ୧୪ ବର୍ଷ ପରେ ଶାସନକୁ ଫେରିଛି ଲେବର ପାର୍ଟି। ବିଜୟ ପରେ ବକିଙ୍ଗହାମ ପ୍ଯାଲେସରେ କିଙ୍ଗ ଚାର୍ଲସଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ ଷ୍ଟାର୍ମର। ବିଜୟ ଲାଗି ଷ୍ଟର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ।

ସେପଟେ ନିର୍ବାଚନ ଇସ୍ତାହାରରେ ଲେବର ପାର୍ଟି ଘୋଷଣା କରିଥିବା କେତେକ ପ୍ରତିଶ୍ରୁତି ପୂରଣ ଏବେ ହୋଇପାରେ ଚାଲେଞ୍ଜ। ଅର୍ଥନୈତିକ ସ୍ଥିରତା, କର ଓ ଖର୍ଚ୍ଚ ନେଇ ସ୍ପଷ୍ଟ ନୀତି, ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ହାର, ଜାତୀୟ ବୀମା ବା ଭ୍ଯାଟ ଅପରିବର୍ତ୍ତିତ ରଖିବା ଲାଗି ଷ୍ଟାର୍ମର ଦେଇଥିଲେ ପ୍ରତିଶ୍ରୁତି। ସେହିପରି ବିଦ୍ୟାଳୟ, ସୁଲଭ ଘର, ଭିତ୍ତିଭୂମି, ସ୍ବଚ୍ଛ ପ୍ରଶାସନ ଲାଗି ବି ସେ ଦେଇଥିଲେ ପ୍ରତିଶ୍ରୁତି। ୧୯୯୭ରେ ଲେବର ପାର୍ଟି ସର୍ବାଧିକ ୪୧୮ଟି ଆସନରେ ବିଜୟୀ ହୋଇଥିଲା। ଟୋନି ବ୍ଲେୟାର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ରେ କିନ୍ତୁ ବୋରିସ ଜନସନଙ୍କ ନେତୃତ୍ବରେ କନଜରଭେଟିଭ ପାର୍ଟି ଜିତିଥିଲା। ବିଭିନ୍ନ ବିବାଦକୁ ନେଇ ସେ ଇସ୍ତଫା ଦେଇଥିଲେ ଏବଂ ରିଷି ସୁନକ୍ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ଯ ପ୍ରସଙ୍ଗ ରହିଥିଲା ଅର୍ଥନୀତି, ଟ୍ଯାକ୍ସ, ଇମିଗ୍ରେସନ ପରି ପ୍ରସଙ୍ଗ । ଦୁଇ ପ୍ରମୁଖ ଲେବର ପାର୍ଟି ଓ କନଜରଭେଟିଭ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ଯ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ଯାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ, । ଲିବରାଲ ଡେମୋକ୍ରାଟସକୁ ୭୧, ରିଫର୍ମ ୟୁକେକୁ ୪ ଆସନ ମିଳିଛି।