ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ନେଉଛି ନୂଆ ମୋଡ଼: ଆତ୍ମହତ୍ୟା ନା ହତ୍ୟା….?

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ନେଉଛି ନୂଆ ମୋଡ଼ । ଆତ୍ମହତ୍ୟା ନା ହତ୍ୟା ନେଇ ପୋଲିସ କରୁଛି ତଦନ୍ତ । ବାଲେଶ୍ବର, ବଳଙ୍ଗା ପରେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ଯ । ଛାତ୍ରୀଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକ ପଟ୍ଟାମୁଣ୍ଡାଇ ମେଡିକାଲରୁ ଫେରିବା ବେଳକୁ ଘର କବାଟ ବନ୍ଦ ଥିଲା । ସେମାନେ ତାଲା ଭାଙ୍ଗି ଭିତରକୁ ପଶିବା ବେଳକୁ ଝିଅକୁ ପୋଡିଯାଇଥିବା ଅବସ୍ଥାରେ ଦେଖିଥିଲେ । ପୂର୍ବରୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ତେରୋହୀ ଗାଁର ଜଣେ ଯୁବକ ତାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।
ଏସସିବି ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଛି । ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ଆତ୍ମହତ୍ୟା ନା ହତ୍ୟା । ତାକୁ ନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତର କାଠିଆପଡ଼ା ଗାଁରେ ଗତକାଲି ଘଟିଥିବା ଏହି ଘଟଣା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରାଯାଇଛି । ମୃତ ଛାତ୍ରୀ ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ଥିଲେ । ତେବେ ଝିଅଙ୍କୁ କିଏ ଓ କାହିଁକି ବ୍ଲାକମେଲ କରୁଥିଲା ତାହା ପୋଲିସର ତଦନ୍ତ ପରିସରକୁ ଆସିଛି । ସେପଟେ ଝିଅ ଆତ୍ମହତ୍ୟାକୁ ନେଇ ପୂରା ପରିବାର ଭାଙ୍ଗି ପଡିବା ସହ ନ୍ୟାୟ ଅପେକ୍ଷାରେ ଅଛନ୍ତି ।