ମାଡ଼ି ଆସୁଛି ନୂଆ ଭାଇରସ ‘Disease X’, କରୋନାଠାରୁ ହୋଇପାରେ ଅଧିକ ମାରାତ୍ମକ
1 min read
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଭୟାବହତା ପରେ ସଂପ୍ରତ୍ତି ଏକ ନୂତନ ଭାଇରସର ଆଗମନର ଚେତାବନୀ ଜାରି କରାଯାଇଛି । ଆଫ୍ରିକୀୟ ଭାଇରସ ଇବୋଲାର ସନ୍ଧାନ କରିଥିବା ଡାକ୍ତର ଜୀନ ଜୈକ୍ସ ମୁଏମ୍ବ ତାମଫମ ଏହି ଚେତାବନୀ ଦେଇଛନ୍ତି । ଡାକ୍ତର ତାମଫମଙ୍କ ସୂଚନା ଅନୁଯାୟୀ ‘Disease X’ କରୋନା ମହାମାରୀ ଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ । କରୋନା ଯେତିକି ଦୃତ ଗତିରେ ବ୍ୟପିଥିଲା ତାଠାରୁ ଦୃତ ଗତିରେ ‘Disease X’ ବ୍ୟାପିବାର ସମ୍ଭାବନା ରହିଥିବା ଚେତାଇଛନ୍ତି ଡାକ୍ତର ତାମଫମ ।
ଇବୋଲାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ତୁଳନାରେ ‘Disease X’ ଭାଇରସରେ ୫୦ରୁ ୯୦ ପ୍ରତିଶତ ଅଧିକ ରୋଗୀ ମୃତ୍ୟୁବରଣ କରିପାରନ୍ତି । ଏକ ଆମେରିକୀୟ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ ଡାକ୍ତର ତାମଫମ କହିଛନ୍ତି ଯେ, ‘ବର୍ତ୍ତମାନ ଆମେ ଏପରି ଏକ ଦୁନିଆରେ ରହୁଛେ ଯେଉଁଠି ସମୟକ୍ରମେ ନୂଆ ନୂଆ ଭାଇରସର ଆବିର୍ଭାବ ହେବ । ଏହି ଭାଇରସ ଗୁଡ଼ିକ ମାନବ ସମାଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ଭବିଷ୍ୟତରେ ମାଡ଼ି ଆସୁଥିବା ମହାମାରୀ ଗୁଡ଼ିକ କରୋନା ମହାମାରୀ ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇପାରେ ।’
କଙ୍ଗୋରେ ମହିଳା ରୋଗୀଙ୍କ ପାଖରେ ‘Disease X’ ଭାଇରସର ଲକ୍ଷଣ
କଙ୍ଗୋର ଇନଗେଡ ସହରରେ ଜଣେ ମହିଳା ରୋଗୀଙ୍କ ରକ୍ତ ବାନ୍ତି ହେବା ସହ ଜ୍ୱରର ଲକ୍ଷଣ ସାମ୍ନାକୁ ଆସିଛି । ମହିଳା ଜଣଙ୍କର ଇବୋଲା ଟେଷ୍ଟ କରାଯାଇଥିଲା କିନ୍ତୁ ତାହା ନେଗେଟିଭ ଆସିଥିଲା । ପରବର୍ତ୍ତୀ ସମୟରେ ଡାକ୍ତର ମାନେ ସନ୍ଦେହ କରିଥିଲେ ଯେ, ମହିଳା ଜଣଙ୍କ ‘Disease X’ ର ପ୍ରଥମ ସଂକ୍ରମିତ ହୋଇପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ‘Disease X’ ମହାମାରୀ ବର୍ତ୍ତମାନ ଏକ ପରିକଳ୍ପନା ମାତ୍ର କିନ୍ତୁ ଯଦି ଏହା ବ୍ୟାପିବା ଆରମ୍ଭ କରିବ ତେବେ ସମଗ୍ର ବିଶ୍ୱ ଏହାର କରାଳ ରୂପ ଦେଖିବ ।
ଡାକ୍ତର ତାମଫମ କିଏ ?
୧୯୭୬ ମସିହାରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ମହାମାରୀର ସନ୍ଧାନରେ ଡାକ୍ତର ତାମଫାନଙ୍କର ମୁଖ୍ୟ ଭୂମିକା ଥିଲା । ପ୍ରଥମଥର ଯେତେବେଳେ ଇବୋଲା ମହାମାରୀ ସାମ୍ନାକୁ ଆସିଥିଲା, କଙ୍ଗୋର ୟାମବୁକୁ ମଶିନ ଡାକ୍ତରଖାନାରେ ୮୮ ପ୍ରତିଶତ ରୋଗୀ ଏବଂ ୮୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ମତ୍ୟୁ ହୋଇଥିଲା ।