ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହେଲା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନୂଆ ଟିମ୍‌ । ପୁନର୍ଗଠିତ ହୋଇଛ ରାଜ୍ୟ କଂଗ୍ରେସ । ୭ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ । ଏହା ଉପରେ ମୋହର ମାରିଛନ୍ତି ଏଆଇସିସି ସଭାପତି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ପାଇବାର ଦୁଇ ମାସ ପରେ ନିଯୁକ୍ତି ପାଇଛନ୍ତି ଦଳର କର୍ମକର୍ତ୍ତା । ଉପସଭାପତି ଭାବେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ବିଧାୟକ ସି.ଏସ୍. ରାଜନ ଇକା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ନିଯୁକ୍ତି ପାଇଛନ୍ତି । ନୂଆ କମିଟି ଗଠନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୁପାରିଶ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଞ୍ଜୁରୀ ଦେଇଥିବା ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି ବେଣୁଗୋପାଳ ଜଣାଇଛନ୍ତି ।