ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ!

1 min read

ଭୁବନେଶ୍ବର: ସାଇବର ଅପରାଧର ନୂଆ ତରିକା । ଆଖି ପିଛୁଳାକେ ଗାଏବ ହୋଇଯାଉଛି ଟଙ୍କା  । ଏଟିଏମକୁ ଯାଉଥିବା ବେଳେ ହୋଇଯାନ୍ତୁ ସାବଧାନ । ନହେଲେ ଆପଣ ହୋଇପାରନ୍ତି ଲୁଟର ଶିକାର । ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଚିନ୍ମୟ କୁମାର ଷଢଙ୍ଗୀ ନାମକ ଜଣେ ବ୍ୟକ୍ତି ଏଟିଏମ୍ ଲୁଟର ଶିକାର ହୋଇଥିଲେ । ଚିନ୍ମୟ ଏଟିଏମକୁ ଟଙ୍କା କାଢ଼ିବାକୁ ଯାଇଥିବା ବେଳେ, ଏଟିଏମ ରେ କାର୍ଡ ଲାଖି ରହି ଯାଇଥିଲା । ପାଖରେ ଛିଡା ହୋଇଥିବା ଜଣେ ଅଜଣା ଵ୍ୟକ୍ତି ଏନେଇ ତାଙ୍କୁ ଗାଇଡ଼ କରିବା ଆରମ୍ଭ କରି ଦେଇଥିଲେ । ଏଟିଏମ ଭିତରେ ପୂର୍ବରୁ ଲାଗିଥିବା ଏକ ଫେକ ହେଲ୍ପ ଲାଇନ ନମ୍ବରରେ କଲ କରିବା ପାଇଁ କହିଥିଲେ । ଚିନ୍ମୟ ହେଲ୍ପ ଲାଇନକୁ କଲ କରିବା ପରେ ଠକ ମାନେ କାର୍ଡର ଡାଟା ମାଗିବା ସହ, ପିନ କୋଡ ମଧ୍ୟ ଏଣ୍ଟ୍ରି କରିବାକୁ କହିଥିଲେ । ଏହାପରେ ଘରକୁ ଆସି ଦେଖିଲା ବେଳକୁ ମୋବାଇଲକୁ ଗୋଟିଏ ପରେ ଗୋଟିଏ ମେସେଜ ଆସିଥିଲା । ହଠାତ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା । ତେବେ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ବିହାରୀ ଗ୍ୟାଙ୍ଗ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଟଙ୍କା ଲୁଟି ନେଉଛନ୍ତି । ଏମାନେ ବିଶେଷକରି ରିମୋଟ କଣ୍ଟ୍ରୋଲ ଡିଭାଇସକୁ ଏଟିଏମରେ ଲଗାଇ ଦେଉଛନ୍ତି । ଯେଉଁଠାରେ କାର୍ଡ ଭର୍ତ୍ତି କରିବା ମାତ୍ରେ ସେଠାରେ କାର୍ଡଟି ଲାଖିଯାଏ । ଆଉ ତା ସାହାଯ୍ୟରେ ଲୁଟି ନିଅନ୍ତି ଟଙ୍କା । ଘଟଣାରେ ଅଭିଯୁକ୍ତ ଅସଦ ଅଲ୍ଲୀକୁକୁ ଗିରଫ କରାଯାଇଛି । ତାଠାରୁ ୪୦ ହଜାର ସହ atm କାର୍ଡ ଜବତ କରାଯାଇଛି  । ତେଣୁ ଏଟିଏମକୁ ଯାଉଥିବା ବେଳେ ଯଦି ଆପଣମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ କେବେ ହେଲେ ଅଜଣା ବ୍ୟକ୍ତିର ସାହାଯ୍ଯ ନ ନେବାକୁ ପୋଲିସ ପରାମର୍ଶ ଦେଇଛି ।