କାର୍ତ୍ତିକ ମାସରେ ଜଗା ଦର୍ଶନ ପାଇଁ ଆସିଲା ନୂଆ SOP

1 min read

ପୁରୀ: ଆଗକୁ ଆସୁଛି ପବିତ୍ର ମାସ କାର୍ତ୍ତିକ। ପୁରୀକୁ ଜଗା ଦର୍ଶନ ପାଇଁ ଆସିବେ ମାଳ ମାଳ ହବିଷ୍ୟାଳି। ଗୋଟେ ମାସ ଜଗା ପାଖରେ ରହି ପାଳିବେ ହବିଷ, ହେଲେ ସବୁକିଛି କଟକଣା ଭିତରେ। ସମ୍ପୂର୍ଣ୍ଣ କାର୍ତ୍ତିକ ମାସରେ ରହିବ କଟକଣା। କାରଣ କରୋନାର କୋପ ଏଯାଏଁ କମିନି। ଆସନ୍ତା ଗୁରୁବାରରୁ ଆରମ୍ଭ ହେଉଥିବା ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏସଓପି। ସକାଳ ୭ରୁ ରାତି ୯ ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ। ତେବେ ନୀତିକାନ୍ତି ବେଳେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ।

ପୂର୍ବ ଭଳି ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ। ଏହିଦିନ ମନ୍ଦିର ଓ ଏହାର ଆଖପାଖ ସାନିଟାଇଜ୍ କରାଯିବ।

ଦଶହରା ଓ ଭସାଣି ଦିନ ବନ୍ଦ ରହିବ ଜଗା ଦର୍ଶନ। ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର। ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଭକ୍ତ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଛି। ମନ୍ଦିର ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବେ ଶ୍ରଦ୍ଧାଳୁ। ମନ୍ଦିର ମଧ୍ୟରେ କୌଣସି ଦେବଦେବୀ କି ଅନ୍ୟ ସ୍ଥାନକୁ ନଛୁଇଁବାକୁ କୁହାଯାଇଛି।

ଏଣିକି ଶ୍ରୀମନ୍ଦିରକୁ ଫୁଲ ଓ ଭୋଗ ନେଇପାରିବେ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ ସ୍ଥାନରେ ଦୀପ ମଧ୍ୟ ଜାଳିପାରିବେ। ଶ୍ରୀମନ୍ଦିରକୁ ପଲିଥିନ ନେବାକୁ ବାରଣ। ଯଦି ପଲିଥିନ ନେଲ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ପ୍ରଶାସନ ସ୍ଥିର କରିଥିବା ସ୍ଥାନରେ ହିଁ ମହାପ୍ରସାଦ ସେବନ କରିପାରିବେ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ତେବେ ୬୫ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି, ଅସୁସ୍ଥ, ଗର୍ଗବତୀ, ୧୦ ବର୍ଷରୁ କମ ପିଲାଙ୍କୁ କୋଭିଡ ମହାମାରୀ ସମୟରେ ଦର୍ଶନ ପାଇଁ ନଆସିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ପ୍ରବେଶ ପାଇଁ RT-PCR ଟେଷ୍ଟ କିମ୍ବା ୨ଡୋଜ୍ ଟିକା ବାଧ୍ୟତାମୂଳକ ହୋଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Leave a Reply