ଆଜିଠୁ ବଦଳିବାକୁ ଯାଉଛି ଏହିସବୁ ନିୟମ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଅର୍ଥାତ ଏପ୍ରିଲ ୧ରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ୨୦୨୪-୨୫ ଆର୍ଥିକ ବର୍ଷରେ ବଦଳିଯାଉଛି ଅନେକ ନିୟମ । ପାନକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ସମୟସୀମା ଶେଷ ହୋଇଛି । ଗତକାଲି ସୁଦ୍ଧା ପାନ-ଆଧାର ଲିଙ୍କ କରିନଥିବା ପାନ୍ ନମ୍ବର ବାତିଲ୍ ହେବ। ସମ୍ପୃକ୍ତ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କିମ୍ବା କୌଣସି ପ୍ରମୁଖ କାରବାର କରିପାରିବେ ନାହିଁ । ପାନ୍ କାର୍ଡ ସକ୍ରିୟ କରିବା ପାଇଁ ହଜାରେ ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ। ଏନପିଏସ୍ ଅର୍ଥାତ୍ ଜାତୀୟ ପେନସନ ସିଷ୍ଟମରେ ଏକ ପରିବର୍ତ୍ତନ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଏନପିଏସ୍ ଆକାଉଣ୍ଟରେ ଲଗଇନ୍ କରିବାକୁ ଗ୍ରାହକଙ୍କୁ ଆଧାର ଯାଞ୍ଚ ଏବଂ ମୋବାଇଲରେ ଗ୍ରହଣ କରାଯାଇଥିବା ଓଟିପି ମାଧ୍ୟମରେ ଲଗଇନ୍ କରିବାକୁ ପଡିବ । ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ଯଦି ଏପ୍ରିଲ ୧ ପରେ ରେଣ୍ଟ୍ ପ୍ରଦାନ କଲେ ତାଙ୍କୁ ଆଉ ରିୱାର୍ଡ ପଏଣ୍ଟ ମିଳିବ ନାହିଁ ।

ଏହି ପରିବର୍ତ୍ତନ ଆଜିଠୁ କିଛି କ୍ରେଡିଟ୍ କାର୍ଡରେ ଏବଂ ଅନ୍ୟମାନଙ୍କ ପାଇଁ ଏପ୍ରିଲ୍ ୧୫ ରୁ ଲାଗୁ ହେବ । ଅନ୍ଯପଟେ ଏପର୍ଯ୍ୟନ୍ତ ଟିକସ ଦାଖଲ ପଦ୍ଧତି ଚୟନ କରି ନ ଥିବା ଗ୍ରାହକଙ୍କୁ ସ୍ୱୟଂଚାଳିତ ଭାବରେ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଦାଖଲ କରିବାକୁ ପଡିବ। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଯୋଗ୍ୟ ବେତନ ଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ। ଅନ୍ଯପଟେ ଯଦି ଜଣେ ନିଜର ଚାକିରି ବଦଳାଇବେ ତେବେ ତାଙ୍କର ପୁରୁଣା ଇପିଏଫଓ ଅଟୋ ମୋଡରେ ସ୍ଥାନାନ୍ତରିତ ହେବ । ଏହାର ଅର୍ଥ ହେଉଛି ବର୍ତ୍ତମାନ ଚାକିରି ପରିବର୍ତ୍ତନ ଉପରେ ଗ୍ରାହକଙ୍କୁ ଇପିଏଫଓ ରାଶି ସ୍ଥାନାନ୍ତର ପାଇଁ ଅନୁରୋଧ କରିବାକୁ ପଡିବ ନାହିଁ | ଏହାଛଡ଼ା ଯଦି ଗ୍ରାହକ ବ୍ୟାଙ୍କରୁ ତାଙ୍କର କାରର ଫାଷ୍ଟାଗର କେୱାଇସି ଅପଡେଟ୍ କରିନାହାନ୍ତି, ତେବେ ଆଜିଠୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାରଣ ବିନା କେୱାଇସି ଫାଷ୍ଟାଗ୍ ବ୍ୟାଙ୍କ ଦ୍ୱାରା ନିଷ୍କ୍ରିୟ କିମ୍ବା କଳା ତାଲିକାଭୁକ୍ତ ହେବ ।