ନୂଆବର୍ଷରେ ନୂଆ ନିୟମ: ମନ୍ଦିର ଭିତରକୁ ପାନ, ଗୁଟଖା, ପଲିଥିନ ଓ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ବର: ନୂଆବର୍ଷରେ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଭକ୍ତ ହୁଅନ୍ତୁ ବା ସେବାୟତ । ମନ୍ଦିର ପରିସରରେ ଖାଇ ପାରିବେନି ପାନ, ଗୁଟଖା । ମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ନେବା ନିଷେଧ । ଏସବୁ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସେହିଭଳି ଲିଙ୍ଗରାଜଙ୍କ କୋଠ ଭୋଗ କେବଳ ଓମଫେଡ ଘିଅରେ ପ୍ରସ୍ତୁତ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ନୂଆ ବର୍ଷ ଓ ସୋମବାର ଥିବାରୁ ମନ୍ଦିର ପ୍ରବଳ ଭିଡ ସତ୍ତ୍ୱେ ସାହାଣ ମେଲା ଦର୍ଶନ କରି ଶ୍ରଦ୍ଧାଳୁ ଖୁସି ଲାଭ କରିଥିଲେ । ସବୁଦିନ ଭଳି ସକାଳ ୫ ଟାରେ ଖୋଲିବା ସହ ହୋଇଥିଲା ବାବାଙ୍କ ନିତିକାନ୍ତି ।

ଲିଙ୍ଗରାଜ ପରେ ରାମ ମନ୍ଦିରରେ ନୂଆ ବର୍ଷରେ ଦର୍ଶନ କରିବା ପାଇଁ ଲାଗିଥିଲା ଭିଡ । ବର୍ଷର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ପୁରା ବର୍ଷ ସୁଖ ଓ ଶାନ୍ତିରେ କଟିବ ବୋଲି ଆଶା ରଖିଥିଲେ ଶ୍ରଦ୍ଧାଳୁ । ତେଣୁ କିଏ ପରିବାର ସାଙ୍ଗରେ ଆସିଥିଲା ତ ଆଉ କିଏ ମୁଖ୍ୟ ରାସ୍ତାରୁ ଦୁଇପଟରୁ ଲମ୍ବା ଲାଇନରେ ରହି ଦର୍ଶନ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଗୁଡିକରେ ବାହାରେ ଓ ଭିତର ପାଖରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ।