ଦିଲ୍ଲୀ ହିଟ୍ ଆଣ୍ଡ ରନ୍ କେସ୍‌ : ସ୍କୁଟିରେ ଅଞ୍ଜଳି ସହ ଥିଲେ ଆଉ ଜଣେ ବନ୍ଧୁ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍ ଆଣ୍ଡ ରନ୍ କେସ୍‌ରେ ନୂଆ ଖୁଲାସା । ସ୍କୁଟିରେ ମୃତ ଅଞ୍ଜଳିଙ୍କ ସହ ଅନ୍ୟ ଜଣେ ବନ୍ଧୁ ମଧ୍ୟ ଥିଲେ । ଅଞ୍ଜଳି ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ନିଧି । ସ୍କୁଟିକୁ କାର୍ ଧକ୍କା ଦେବା ବେଳେ ନିଧି ସାମାନ୍ୟ ଆହତ ହୋଇଥିବା ବେଳେ ଅଞ୍ଜଳିଙ୍କ ଗୋଡ଼ କାରରେ ଲାଖି ଯିବା ଯୋଗୁ ସେ ଘୋଷାଡି ହୋଇ ଯାଇଥିଲେ ।

୧୨ କିମିରୁ ଅଧିକ ରାସ୍ତା ଘୋଷାଡି ହୋଇଯିବା ପରେ ଅଞ୍ଜଳିଙ୍କ ମୃତଦେହ ଗାଡ଼ି ଚକାରୁ ବାହାର କରି ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ୫ ଅଭିଯୁକ୍ତ । ଆଜି ନିଧିଙ୍କ ବୟାନ ରେକର୍ଡ କରିବ ପୋଲିସ । ଦୁର୍ଘଟଣା ପରେ ଭୟରେ ନିଧି ଘରକୁ ଚାଲି ଆସିଥିବା ପୋଲିସ କହିଛି ।

ସେପଟେ ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ଥିବାରୁ ଜିରୋ ନାଇଟରେ ହୋଇଥିବା ବୀଭତ୍ସକାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ଅଭିଯୁକ୍ତ ମନୋଜ ମିତ୍ତଲ ବିଜେପି ନେତା ହୋଇଥିବାରୁ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି । ଅନ୍ୟପଟେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ରିପୋର୍ଟ ମାଗିବା ପରେ ସ୍ପେଶାଲ କମିଶନର ସାଲିନି ସିଂ ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ।