ନୂଆ ରାସନ କାର୍ଡ ବଣ୍ଟନ ପ୍ରସଙ୍ଗ: ଦଳୀୟ ଭିତ୍ତିରେ କାର୍ଡ ନଦେବାକୁ ବିରୋଧୀଙ୍କ ପରାମର୍ଶ
1 min read
ଭୁବନେଶ୍ବର: ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ବ୍ଲକ ଓ ସହରାଞ୍ଚଳରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ ନୂଆ ରାସନ କାର୍ଡ । କାର୍ଡ ଛପାଇବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଖାଦ୍ୟ ଯୋଗାଣ ବିଭାଗ । ଆସନ୍ତ ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ତେବେ ନୂଆ ରାସନ କାର୍ଡ ଦଳୀୟ ଭିତ୍ତିରେ ନ ବାଣ୍ଟିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିରୋଧୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବାକୁ ଦାବି କରିଛି ମୁଖ୍ୟ ବିରୋଧୀ ବିଜେଡି ।
ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ଏପ୍ରିଲ ୨୨ ତାରିଖ ସୁଦ୍ଧା ରାସନ କାର୍ଡ ଛପା କାର୍ଯ୍ୟ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ନିର୍ଦ୍ଦେଶ । ବ୍ଲକ ଓ ସହରାଞ୍ଚଳରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯିବ ଏହି ନୂଆ ରାସନ କାର୍ଡ । ରାଜ୍ୟର ପାଖାପାଖି ୭ ଲକ୍ଷ ହିତାଧିକାରୀ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ନୂଆ କାର୍ଡ଼ ଦେବାକୁ ନିଆଯାଇଛି ନିଷ୍ପତ୍ତି । ଢେଙ୍କାନାଳରୁ ମୁଖ୍ୟମନ୍ତ୍ରୀ ନୂଆ ରାସନ କାର୍ଡ ବାଣ୍ଟିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଏଯାଏଁ ୨୫ ଲକ୍ଷ ହିତାଧିକାରୀ ଇ-କେଓ୍ବାଇସି କରି ନଥିବା ବେଳେ, ରାସନ କାର୍ଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେପଟେ ଦଳୀୟ ଭିତ୍ତିରେ ନୂଆ ରାସନ କାର୍ଡ ନ ବାଣ୍ଟିବାକୁ ପରାମର୍ଶ ଦେଇଛି ମୁଖ୍ୟ ବିରୋଧୀ ବିଜେଡି । କାର୍ଡ ବାଣ୍ଟିବା ବେଳେ ସରକାର ନିରପେକ୍ଷତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେପଟେ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀ ବିବାଦ ଭିତରେ ସରକାର ସାଧାରଣ ଲୋକଙ୍କୁ କାର୍ଡ ଦେବାରୁ ବଞ୍ଚିତ କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ଭଳି ରାସନ କାର୍ଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରୁଛି ୧୦ ମାସର ବିଜେପି ସରକାର । ରଙ୍ଗ ପରିବର୍ତ୍ତନ ଭିତରେ ଯେପରି ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିରୋଧୀ ।