କିଏ ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ? ଆଜି ବସିବ ବୈଠକ ..

ନନ୍ଦିଘୋଷ ବ୍ୟୁରୋ: ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ କିଏ ? ଏହାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ନୂଆ ସିଇସି ଚୟନ ଲାଗି ଆଜି ବସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୈଠକ । ସିଇସି ଓ ଇସିଙ୍କ ଚୟନ ପ୍ରସଙ୍ଗରେ ନୂଆ ଆଇନକୁ ନେଇ ଆଗତ ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଚୟନ କମିଟି ବୈଠକ ବସିବ । ଆସନ୍ତା ୧୮ ତାରିଖ ଦିନ ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବ । ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ୟରେ ନିର୍ବାଚନ ହୋଇଥିଲା

ସେପଟେ ପରବର୍ତ୍ତୀ ସିଇସି କ୍ଷେତ୍ରରେ ଚର୍ଚ୍ଚାରେ ରହିଛନ୍ତି ଜ୍ଞାନେଶ କୁମାର । ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବାବେଳେ ୫ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି । ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ କେରଳ କ୍ୟାଡର ଆଇଏଏସ । ସେ କେନ୍ଦ୍ର ଗୃହମନ୍ତ୍ରାଳୟରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ଜାନୁଆରୀ ୩୧ରେ ସେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ । ସେ ସଂସଦୀୟ ବ୍ୟାପାର ବିଭାଗ ସଚିବ ପଦବି ସମ୍ଭାଳିଥିଲେ । ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କାର୍ଯ୍ୟାବଳୀର ସମୀକ୍ଷା ଲାଗି ୨୦୨୦ରେ ତାଙ୍କୁ ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ବିହାର, ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଇସିଙ୍କ ଗୁରୁତ୍ବ ବଢିଛି ।