spot_img

Latest Posts

ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ କାର୍ଯ୍ୟକାରୀ ହୋଇପାରୁନି ନୂଆ ଯୋଜନା, ଅଫିସର ବଦଳିଲେ ବଦଳୁଛି ଯୋଜନା

ଭୁବନେଶ୍ୱର: କୁଆଡେ ଗଲା ଲେନ୍ ଡ୍ରାଇଭିଂ, ଡ୍ରୋନ୍ ? ନୋ ଓଭରଟେକିଂ ଜୋନ୍‌ରେ ବେପରୁଆ ଡ୍ରାଇଭିଂ। ଅଫିସର ବଦଳିଲେ ବଦଳୁଛି ଯୋଜନା। ପରିବହନ ବିଭାଗ ଓ NHAI ମଧ୍ୟରେ ରହୁନି ତାଳମେଳ। ରୋଡ଼ ରୋମିଓଙ୍କୁ ସାବାଡ଼ କରିବା ବେପରୁଆ ଗାଡିଚାଳନା ରୋକିବାକୁ ରବୀନ୍ଦ୍ର ମଣ୍ଡପ ଛକଠାରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ କରାଯାଇଥିଲା ନୋ ଓଭରଟେକିଂ ଜୋନ୍। ତତ୍କାଳୀନ ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ରାସ୍ତାରେ ଡ୍ରୋନ ଉଡିବା ସହ ଉଲ୍ଲଙ୍ଘନକାରୀଙ୍କୁ ଫାଇନ କରିବା ନେଇ ମଧ୍ୟ ହୋଇଥିଲା ବ୍ୟବସ୍ଥା।

ସଚିବାଳୟ, ଏଜି ଅଫିସ, କ୍ୟାପିଟାଲ ହସ୍ପିଟାଲ, ଭିଆଇପି କ୍ୱାର୍ଟର ଗୁଡିକ ଏହି ରାସ୍ତାରେ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଟ୍ରାଫିକ୍ ଡିସିପିଙ୍କ ବଦଳି ପରେ ବାଟବଣା ହୋଇଛି ଏହି ବ୍ୟବସ୍ଥା। ଟ୍ରାଫିକ କର୍ମଚାରୀ ଡ୍ରୋନ୍ ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ପାଇଥିଲେ ମଧ୍ୟ ଏହି ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ।

ଜାତୀୟ ରାଜପଥରେ ଅନ୍ତର୍ଜାତୀୟ ସ୍ତରର ଗାଡି ଚାଳନା ଓ ଦୁର୍ଘଟଣା ରୋକିବା ପାଇଁ ଲେନ୍ ଡ୍ରାଇଭିଂର ପ୍ରସ୍ତାବ ଦିଆଯାଇଥିଲା। ସରକାର ଏ ନେଇ ସବୁଜ ସଙ୍କେତ ଦେବା ସହ ପୋଲିସ ଡିଜିଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଡକ ସୁରକ୍ଷାର ଗୁରୁତ୍ୱ ଦୃଷ୍ଟିରୁ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିଥିଲେ ସରକାର। କେଉଁ ଧାଡିରେ କେତେ ବେଗ ରହିବ, ସେ ନେଇ ମଧ୍ୟ ବିଶେଷଜ୍ଞଙ୍କ ମତ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଫିକ, ପରିବହନ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସମନ୍ୱୟ ଅଭାବରୁ ଏହି ଯୋଜନା ମଧ୍ୟ କେବଳ ପରିକଳ୍ପନା ରେ ସୀମିତ ଥିବା କହିଛନ୍ତି ବିଶେଷଜ୍ଞ। ଦୁର୍ଘଟଣା ଜନିତ ମୃତ୍ୟୁ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସଡକ ସୁରକ୍ଷା ସହ ଯୋଜନାର କାର୍ଯ୍ୟକାରିତା ଦିଗରେ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

Latest Posts

Don't Miss