ରାଜ୍ୟାଭିଷେକ ପୂରା ହୋଇଛି, ଅହଙ୍କାରୀ ରାଜା ରାସ୍ତାରେ ଲୋକଙ୍କ ସ୍ୱରକୁ ଚାପି ଦେଉଛି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରବିବାର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦ ଭବନର ଉଦଘାଟନ ପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ରାହୁଲ ଏକ ଟ୍ୱିଟ କରି ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି । କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଘୋଷାଡ଼ି ନେଉଥିବା ବେଳର ଏକ ଭିଡିଓ ପୋଷ୍ଟ କରି ରାହୁଲ ଲେଖିଛନ୍ତି, “ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି, ଅହଙ୍କାରୀ ରାଜା ରାସ୍ତାରେ ଜନସାଧାରଣଙ୍କ ସ୍ୱରକୁ ଚାପି ଦେଉଛି ।”
ସୂଚନାଯୋଗ୍ୟ, ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିରୋଧୀ ଏବଂ ବିଜେପି ସରକାରଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି । ବିରୋଧୀ ଚାହୁଁଥିଲେ ଯେ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦୀ ନକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରନ୍ତୁ ବୋଲି । ଏହି କାରଣରୁ ୧୯ ବିରୋଧୀ ଦଳ ମିଳିତ ବୟାନ ଜାରି କରି ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହୋଇନଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ଟ୍ୱିଟରେ ଜନ୍ତର ମନ୍ତରରରେ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରୁଥିବା ମହିଳା କୁସ୍ତିଯୋଦ୍ଧାଙ୍କ ଏକ ଛୋଟ ଭିଡିଓ କ୍ଲିପ ମଧ୍ୟ ସେୟାର କରିଛନ୍ତି । କ୍ଲିପରେ ରାହୁଲ ଗାନ୍ଧି ମହିଳା କୁସ୍ତିଯୋଦ୍ଧାଙ୍କ ଗିରଫଦାରୀକୁ ଭୁଲ୍ ଦର୍ଶାଇ କହିଛନ୍ତି ଝିଅ ବଞ୍ଚାଅ ଏବଂ ଝିଅ ପଢାଅ ନୂଆ ନାରା ଅଟେ, କିନ୍ତୁ ଝିଅଙ୍କୁ କାହାଠାରୁ ବଞ୍ଚାଇବ, ବିଜେପିଠୁ ବଞ୍ଚାଅ ।
ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଟ୍ୱିଟ କରି ଲେଖିଛନ୍ତି, ଖେଳାଳିଙ୍କ ଛାତିରେ ଲାଗିଥିବା ମେଡାଲ ଆମ ଦେଶର ଗର୍ବ ଆଉ ଗୌରବ । ସେହି ମେଡାଲ ଏବଂ ଖେଳାଳିଙ୍କ ପରିଶ୍ରମ ଦ୍ୱାରା ଦେଶର ମାନ ବଢ଼ିଥାଏ । ବିଜେପି ସରକାରର ଅହଙ୍କାର ଏତେ ବଢ଼ିଯାଇଛି ଯେ ସରକାର ଆମ ମହିଳା ଖେଳାଳିଙ୍କ ସ୍ୱରକୁ ନିର୍ମମ ଭାବେ ବୁଟ୍ ତଳେ ଚାପି ଦେଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଅଟେ, ସାରା ଦେଶ ସରକାରଙ୍କ ଅହଙ୍କାର ଏବଂ ଏହି ଅନ୍ୟାୟକୁ ଦେଖୁଛି । ପ୍ରକାଶ ଥାଉକି, ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ୨୩ ଏପ୍ରିଲରୁ ଜନ୍ତର ମନ୍ତରରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧା ନୂଆ ସଂସଦ ଭବନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଘୋଷଣା କରିଥିଲେ ।
କୁସ୍ତିଯୋଦ୍ଧା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ସାଢେ ୧୧ ଟା ସମୟରେ ନୂଆ ସଂସଦ ଭବନ ଅଭିମୁଖେ ବାହାରିଥିଲେ । ହେଲେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାଙ୍କୁ ଅଟକାଇବା ପାଇଁ ବ୍ୟାରିକେଡିଂ କରିଥିଲା । ଏହାପରେ କୁସ୍ତିଯୋଦ୍ଧାମାନେ ରାସ୍ତାରେ ଧାରଣା ଦେଇଥିଲେ । ହେଲେ ଦିଲ୍ଲୀ ପୋଲିସ ସେମାନଙ୍କୁ ସେଠାରୁ ଘଉଡ଼ାଇଥିଲା । ଅନେକ କୁସ୍ତିଯୋଦ୍ଧାଙ୍କୁ ହେପାଜତକୁ ନେଇଥିଲା ପୋଲିସ । କୁସ୍ତିଯୋଦ୍ଧା ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।