ମିଟର ରିଡରଙ୍କ ହତ୍ୟା ମାମଲାରେ ନୂଆ ମୋଡ଼, ବିଦ୍ୟୁତ ବିଲ୍ ନେଇ ହତ୍ୟା ହୋଇନଥିବା କହିଲା ଟାଟା ପାୱାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା କୁପାଟି ଗାଁରେ ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ହତ୍ୟା ମାମଲାରେ ନୂଆ ମୋଡ଼ । ବିଦ୍ୟୁତ ବିଲ ନେଇ ହତ୍ୟା ହୋଇନଥିବା ପ୍ରେସ ରିଲିଜ ଜାରି କରିଛି ଟାଟା ପାଓ୍ବାର । ବିଦ୍ୟୁତ ବିଲ୍ ନେଇ ଅଭିଯୁକ୍ତ ସହ ମୃତ ବ୍ୟକ୍ତିଙ୍କର କୌଣସି ବିବାଦ ନଥିଲା ବୋଲି ଟାଟା ପାଓ୍ବାର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ କେଉଁ କାରଣ ପାଇଁ ମିଟର ରିଡର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଜାରି ରିଖିଛ ପୋଲିସ । କୁପାଟି ଗାଁର ଗୋବିନ୍ଦଙ୍କ ଘର ସମ୍ମୁଖରେ ମୃତ ଦେହ ପଡିଥିବା ବେଳେ ଘରେ ମଧ୍ୟ ଗୋବିନ୍ଦ କିମ୍ଵା ପରିବାର ସଦସ୍ୟ କେହି ନଥିବାରୁ ହତ୍ୟା ଗୋବିନ୍ଦ ହିଁ ଘଟାଇଥିବା ପୋଲିସ ଅନୁମାନ କରିଛି ।

ତାରାସିଙ୍ଗି ପୋଲିସ ଶବ ଜବତ କରି ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଅଟକ ରଖି ତଦନ୍ତ ଚଳାଇଛି । ଟାଟା ପାୱାର ନିଜ ପ୍ରେସ ରିଲିଜରେ କହିଛି ଯେ ମିଟର ରିଡରଙ୍କ ଅକାଳ ମୃତ୍ୟୁରେ ଆମେ ମର୍ମାହତ । କାର୍ଯ୍ୟରେ ଥିବା ସମୟରେ ସେ ନିଜର ପ୍ରାଣ ହରାଇଛନ୍ତି । ଏ ଘଡ଼ିସନ୍ଧି ମୂହୁର୍ତ୍ତରେ ତାଙ୍କ ପରିବାର ଲୋକଙ୍କୁ ଭଗବାନ ଧୌର୍ଯ୍ୟ ଓ ସାହସ ଦିଅନ୍ତୁ । ହତ୍ୟାକାଣ୍ଡରେ ଯିଏ ବି ସାମିଲ ଥିବେ ତାଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନେବାପାଇଁ ପ୍ରଶାସନକୁ ନିବେଦନ କରିବୁ । ତେବେ ଆମ ଅନ୍ତରୀଣ ସମୀକ୍ଷାରୁ ଜଣାଯାଇଛି ଯେ ବିଲ୍ କୁ ନେଇ ଏହି ହତ୍ୟାକାଣ୍ଡ ହୋଇନାହିଁ । ଅଭିଯୁକ୍ତର ବିଲ୍ ସହ କୌଣସି ସମ୍ପର୍କ ନାହିଁ ।

ଟାଟା ପାୱାରର କର୍ମଚାରୀ ଏବଂ ବାଣିଜ୍ୟିକ ସହଯୋଗୀଙ୍କ ସୁରକ୍ଷା ନେଇ ଆମେ ସ୍ଥାନୀୟ ପ୍ରଶାସନ ସହ ଲଗାତାର ସମ୍ପର୍କରେ ଅଛୁ । ଆମର କୌଣସି ବି କର୍ମଚାରୀଙ୍କ ସୁରକ୍ଷାରେ ସାଲିସ କରାଯିବନାହଁ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଆଜି ସକାଳେ, ଗଞ୍ଜାମ ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ କୁପାଟି ଗାଁ ରେ ଘଟିଛି ଏହି ଅମାନବିକ ହତ୍ୟା କାଣ୍ଡ ଘଟିଥିଲା । ଜଣେ ମିଟର ରିଡର ଙ୍କୁ ଗ୍ରାମରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ମୃତକ ଗାଲେରୀ ଗ୍ରାମର ଲଷ୍ମୀନାରାୟଣ ତ୍ରିପାଠୀ ବୋଲି ସୂଚନା । ଲଷ୍ମୀନାରାୟଣ ଆଜି ସକାଳୁ କୂପାଟି ଗାଁ କୁ ମିଟର ରିଡିଙ୍ଗ ଆଣିବା ପାଇଁ ଯାଇଥିଲେ । ବିଦ୍ୟୁତ ବିଲ୍ ଅଧିକ ଆସିଥିବା ଜାଣିବା ପରେ ଘରମାଲିକ ଗୋବିନ୍ଦ ସେଠୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ।