ନୂଆ ଖଣି ଅଧିନିୟମ: ନିୟମ ନମାନିଲେ ୨ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କା ଜରିମାନା

1 min read

ଭୁବନେଶ୍ୱର: ନିୟମ ବାହାରେ ଖଣିଜ ଉତ୍ତୋଳନ କଲେ ଜେଲ୍‌ ଦଣ୍ଡ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ନୂଆ ମିନେରାଲ୍‌ କନ୍‌ସେସନ୍‌ ରୁଲରେ ପ୍ରଥମ କରି ଏହି ବ୍ୟବସ୍ଥା କରାଯାଇଛି । କ୍ୟାପଟିଭ୍‌ ଖଣି ଲିଜ୍‌ଧାରୀ ୫୦ ପ୍ରତିଶତ ଖଣିଜ ପଦାର୍ଥ ବିକି ପାରିବେ । ନୂଆ ବ୍ୟବସ୍ଥା ଯୋଗୁ ଓଡ଼ିଶା ଅଧିକ ଖଣି ରାଜସ୍ୱ ପାଇବ । ଗତ ଅକ୍ଟୋବର ସୁଦ୍ଧା ଓଡ଼ିଶାର ଖଣି ରାଜସ୍ୱ ସଂଗ୍ରହ ୨୨ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ବେଆଇନ୍‌ ଭାବେ ଖଣିଜ ଉତ୍ତୋଳନ କଲେ ଜେଲ୍‌ଦଣ୍ଡ । ୨ ବର୍ଷ ଜେଲ୍‌ କିମ୍ବା ଜେଲ ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା । ଖଣିଜ ସଂରକ୍ଷଣ ଓ ବିକାଶ ସଂଶୋଧନ ରୁଲ୍‌-୨୦୨୧ରେ ଏହି ନୂଆ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କ୍ୟାପଟିଭ୍‌ ଖଣି ଲିଜ୍‌ଧାରୀ ବଳକା ଖଣିଜ ପଦାର୍ଥ ବିକି ପାରୁନଥିଲେ । ଏଣିକି ୫୦ ପ୍ରତିଶତ ବିକି ପାରିବେ । ଏଥିପାଇଁ ଖଣି ଲିଜଧାରୀ ସମାନୁପାତିକ ରୟାଲ୍‌ଟି ସରକାରଙ୍କୁ ଦେବେ । ଫଳରେ ଓଡ଼ିଶା ଭଳି ରାଜ୍ୟ ଅଧିକ ରାଜସ୍ବ ପାଇବେ । ପୂର୍ବରୁ ଲିଜ୍‌ ଅବଧି ସରିବା ପରେ ଲିଜ୍‌ଧାରୀ ଖଣିକୁ ସରେଣ୍ଡର କରୁଥିଲେ । ନୂଆ ବ୍ୟବସ୍ଥା ଅନୁଯାୟୀ ଏଣିକି ଲାଇସେନ୍‌ସ୍‌ ଅବଧି ସରିବା ପରେ ମଧ୍ୟ ଉତ୍ତୋଳନ ପ୍ରକ୍ରିୟା ସରିନଥିଲେ ଆଂଶିକ ସରେଣ୍ଡର କରାଯାଇପାରିବ । ସେହିପରି ସାଧାରଣ ଉଦ୍ୟୋଗ ଲିଜ୍‌ଧାରୀଙ୍କୁ ଲିଜ୍‌ ଅବଧି ସରିବା ପୂର୍ବରୁ ଆଉ ୫୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଦିଆଯାଇପାରିବ । ଚଳିତବର୍ଷ ଖଣି ରାଜସ୍ୱରେ  ଓଡ଼ିଶା ସରକାର ଉଲ୍କେଖନୀୟ ସଫଳତା ପାଇଛନ୍ତି । ଗତ ଅକ୍ଟୋବର ସୁଦ୍ଧା ଓଡ଼ିଶା ସରକାର ୨୨ ହଜାର କୋଟି ଟଙ୍କା ପାଇଛନ୍ତି । ଯାହା କି ଏକ ରେକର୍ଡ ।

ଖଣିଜ ଉତ୍ତୋଳନ ଶତପ୍ରତିଶତ ମେସିନ୍‌ ଦ୍ୱାରା କରାଯାଉଛି । ଡିଜିପିଏସ୍‌ ସର୍ଭେଠାରୁ ଆରମ୍ଭ କରି ଖଣି ଏରିଆ ବାହାରେ ଯେପରି ଲିଜଧାରୀ ଉତ୍ତୋଳନ କରି ନପାରିବେ ସେଥିପାଇଁ ନିୟମ କଡ଼ାକଡ଼ି କରାଯାଇଛି । ପୂର୍ବତନ ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କେନ୍ଦୁଝର, ଯୋଡ଼ା ଓ ସୁନ୍ଦରଗଡ଼ ଖଣି ଅଞ୍ଚଳରେ ମେସିନ୍‌ ଦ୍ବାରା କାମ କରାଯିବାରୁ ପ୍ରାୟ ୧୮ ହଜାର ଲୋକ ବେକାର ହୋଇଛନ୍ତି । ନୂଆ ନିୟମ ଦ୍ବାରା ଅଧିକ ଖଣିଜ ପଦାର୍ଥ ବଜାରରେ ଉପଲବ୍ଧ ହେବ । ଅନ୍ୟପଟେ ଓଡ଼ିଶା ସରକାରଙ୍କ ଫାଇଭ୍‌- ଟି ସଂସ୍କାର ବ୍ୟବସ୍ଥା ଯୋଗୁ ଖଣି କାରବାରେ ଅଧିକ ସ୍ବଚ୍ଛତା ଆସିବା ସହିତ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ ।

Leave a Reply