ଅକ୍ଷୁର୍ଣ୍ଣ ରହିବ ବିଶ୍ୱବିଦ୍ୟାଳୟ ଓ କୁଳପତିମାନଙ୍କ ପୂର୍ବ ସ୍ୱାତନ୍ତ୍ରତା : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର, ପୂର୍ବରୁ ପ୍ରଚଳିତ ହୋଇଥିବା ନିୟମଗୁଡିକ ସାମ୍ପ୍ରତିକସ୍ଥିତିରେ ପ୍ରାସଙ୍ଗିକତା ହରାଇଥିଲା । ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ଆଣିବାକୁ ପଡିଲା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରବିବାର କହିଛନ୍ତି । ରବିବାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସମ୍ପର୍କିତ ୱେବିନାରରେ ଯୋଗ ଦେଇ ମନ୍ତ୍ରୀ ଏହା କହିଛନ୍ତି ।

ଅରୁଣ ସାହୁ କହିଥିଲେ ଯେ, ନୂତନ ସଂଶୋଧନ ବିଶ୍ୱବିଦ୍ୟାଳୟ, କୁଳପତିମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବ ନାହିଁ । ଅପରପକ୍ଷରେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି । କୁଳପତିମାନଙ୍କ ବୟସସୀମା ୬୭କୁ ବୃଦ୍ଧି କରାଯିବା ଫଳରେ ସେମାନେ ଦୀର୍ଘମିଆଦୀ ଯୋଜନା କରିପାରିବେ । ନୂତନ ପଦ୍ଧତିରେ କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ହିଁ ନାହିଁ । ଗୁଜରାଟ,ପଶ୍ଚିମବଙ୍ଗ, କର୍ନାଟକ, ତେଲେଙ୍ଗାନା,ମହାରାଷ୍ଟ୍ର, ପଞ୍ଜାବ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଭଳି ବ୍ୟବସ୍ଥା ଓଡ଼ିଶାରେ ନାହିଁ । ଆମ ରାଜ୍ୟରେ କୁଳପତି ଏବଂ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।ସେହିପରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଲୋକସେବା ଆୟୋଗକୁ ଶିକ୍ଷକ ଚୟନ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡିକ ଅଡିଟ ରିପୋର୍ଟ ସାର୍ବଜନୀନ କରିବା ସମ୍ଭବ ହେଉ ନ ଥିଲା । ହେଲେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡିକ ବର୍ତ୍ତମାନ ନିଜ ନିଜ ୱେବସାଇଡରେ ଏହାକୁ ଅପଲୋଡ କରିପାରିବେ  ବୋଲି ମନ୍ତ୍ରୀ କହିଛନ୍ତି ।

 

ସେହିପରି ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଅନେକ ବର୍ଷ ଧରି ସିନେଟର ଭୂମିକା ଆଳଙ୍କାରିକ ହୋଇ ପଡିଥିଲା । ତେଣୁ ଏହାକୁ ଉଚ୍ଛେଦ କରାଯାଇଛି । ରାଜ୍ୟରେ ପୂର୍ବରୁ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ନିୟମ ଲାଗୁ ହୋଇ ଆସୁଥିଲା । ତେଣୁ ପରବର୍ତ୍ତୀ ସମୟରେ ୨୦୦୫ରେ ଆସିଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମକୁ ଉଚ୍ଛେଦ କରାଯାଇଛି । ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ନିୟମ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ୱେବିନାରରେ କହିଥିଲେ । ସିନେଟ ବ୍ୟବସ୍ଥା ଉଚ୍ଛେଦ କରାଯାଇ ସିଣ୍ଡିକେଟଗୁଡିକରେ ପୁର୍ନଗଠନ କରାଯିବ । କୁଳପତି ହିଁ ସିଣ୍ଡିକେଟର ଅଧ୍ୟକ୍ଷ ରହିବେ । ଆଉ ପୂର୍ବଭଳି ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱରେ ରହିପାରିବେ ନାହିଁ । ତେଣୁ ସିଣ୍ଡିକେଟରେ ବିଶ୍ୱବିଦ୍ୟାଳୟ ପ୍ରଭାବ ଅକ୍ଷୁର୍ଣ୍ଣ ରହିବ ବୋଲି ମନ୍ତ୍ରୀ ଦୃଢମତ ପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ୱେବିନାରରେ ଉଚ୍ଚଶିକ୍ଷା ସଚିବ ତଥା କମିଶନର ଶାଶ୍ୱତ ମିଶ୍ର ସଂଶୋଧିତ ବିଶ୍ୱବିଦ୍ୟାଳୟ ସହ ଅନ୍ୟ ରାଜ୍ୟରେ ଥିବା ନିୟମର ତୁଳନାତ୍ମକ ଅଧ୍ୟୟନ ପ୍ରଦର୍ଶିତ କରିଥିଲେ । ଏହି ୱେବିନାରରେ ୧୦୦୦ରୁ ଅଧିକ ଶିକ୍ଷାବିତ ଯୋଗ ଦେଇଥିଲେ ।

 

Leave a Reply