କେବଳ ଡ଼ିସେମ୍ବର ୨୫, ଡିସେମ୍ବର ୩୧ ଓ ଜାନୁଆରୀ ୧ରେ କଟକଣା

ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଶନିବାର ଅର୍ଥାତ ବଡ଼ଦିନରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଲାଗିଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ ହୋଇଛି । ନୂଆ ଗାଇଡ଼ଲାଇନରେ କେବଳ ଡ଼ିସେମ୍ବର ୨୫, ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ପାଇଁ କଟକଣା ଲାଗୁ କରାଯାଇଛି । ଏହି ସମୟରେ ଅଧିକ ଗହଲିକୁ ନଜରରେ ରଖି ବିଭିନ୍ନ କଟକଣା ଜାରି କରାଯାଇଛି । ନିରାଡମ୍ବର ଭାବେ କେବଳ ଚର୍ଚ୍ଚରେ ବଡ଼ ଦିନ ପାଳନକୁ ଅନୁମତି ମିଳିଛି ।

ଚର୍ଚ୍ଚରେ ୫୦ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । କୌଣସି ସ୍ଥାନରେ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ନୂଆବର୍ଷ ପାଳନ ପାଇଁ ମଧ୍ୟ କଟକଣା ଲାଗିଛି । ଜିରୋ ନାଇଟ୍ ସେଲିବ୍ରେସନକୁ ମଧ୍ୟ ମନା କରାଯାଇଛି । ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣମଣ୍ଡପରେ ନୂଆ ବର୍ଷ ପାଳନ ହେବ ନାହିଁ । ବିବାହ ବ୍ୟତୀତ ମଣ୍ଡପ ଗୁଡିକରେ ଅନ୍ୟ କୌଣସି ଉତ୍ସବ ପାଳନ ଉପରେ କଟକଣା ଲାଗିଛି ।

କୌଣସି ସ୍ଥାନରେ ଗହଳି ହୋଇ ଜନସାଧାରଣ ଭୋଜି ମଧ୍ୟ କରିପାରିବେ ନାହିଁ । ବଣ ଭୋଜିକୁ ସମ୍ପୁର୍ଣ୍ଣ ବାରଣ କରିଛି ପ୍ରଶାସନ । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନାହିଁ । ତେବେ କରୋନା କଟକଣାରେ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଅନୁମତି ରହିଛି । କୌଣସି ସ୍ଥାନରେ ନିୟମର ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

Leave a Reply