spot_img

Latest Posts

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍: ରଥଯାତ୍ରା ନେଇ ଆଶା ଉଜ୍ଜିବୀତ

ପୁରୀ: ରଥଯାତ୍ରା ନେଇ ମଉଳି ଯାଇଥିବା ଆଶାକୁ ପୁଣି ଜାଗ୍ରତ କରିଛି କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଗ୍ରୀନ୍‌ ଜୋନ୍‌ରେ ଆସୁଛି ପୁରୀ ଜିଲ୍ଲା। ତେଣୁ କୋଭିଡ୍‌ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇ ପାରିବ ବୋଲି ଆଶା କରାଯାଉଛି।

ସେପଟେ କେବଳ ବିଧି ରକ୍ଷା ନକରି ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଅବସ୍ଥା ଦେଖି ଚାଲିଛି ବ୍ୟବସ୍ଥା । ସଂକ୍ରମଣ ମାତ୍ରାକୁ ଦେଖି ଲକ୍‌ଡାଉନ୍‌ର ନିଷ୍ପତି ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଭିତରେ ନିଷ୍ପତି ହେଲା ଯେ, ବନ୍ଦ ହେବନି ରଥଯାତ୍ରା ପରମ୍ପରା ।

ଅକ୍ଷୟ ତୃତୀୟାରେ ମନ୍ଦିର ଭିତରେ ହେଲା ରଥ ଅନୁକୂଳ ନୀତି । ପରମ୍ପରା ବଜାୟ ରହିଲା କିନ୍ତୁ ଏଯାଏଁ ଆରମ୍ଭ ହୋଇନି ରଥ ନିର୍ମାଣ କାର୍ଯ୍ୟ । କିନ୍ତୁ ଏବେ ସ୍ଥିତି, ଅବସ୍ଥିତି ଏବଂ ପରିସ୍ଥିତି ବଦଳିଯାଇଛି । କରୋନା ସଂକ୍ରମଣରୁ ମୁକ୍ତ ହୋଇଛି ପୁରୀ ଜିଲ୍ଲା ।

ଗ୍ରୀନ୍‌ ଜୋନ୍‌ ତାଲିକାରେ ସ୍ଥାନୀତ ହେବା ପରେ ବାହାରେ ରଥ ନିର୍ମାଣ ନେଇ ଦାବି କରିଛନ୍ତି ବୁଦ୍ଧିଜୀବୀ । ସମାଜିକ ଦୂରତା ରଖି ଖଳାରେ ରଥ ନିର୍ମାଣ ହୋଇପାରିବ ବୋଲି ଯ଼ୁକ୍ତି ବାଢିଛନ୍ତି ବରିଷ୍ଠ ସେବାୟତ ।

ରଥ ନିର୍ମାଣ ପାଇଁ ଆଜ୍ଞାମାଳ ଆସିସାରିଛି । ସାମ୍ପ୍ରତିକ ସ୍ଥିତିକୁ ଦେଖ ରଥ ନିର୍ମାଣ ବନ୍ଦ ରଖିଛି ପ୍ରଶାସନ । ସେପଟେ କେନ୍ଦ୍ରର ଗାଇଡଲାଇନ୍‌ ରଥଯାତ୍ରା ସମ୍ଭବ ନେଇ ସବୁଜ ସଙ୍କେତ ଦେଉଛି । ହେଲେ ବୁଦ୍ଧିଜୀବୀଙ୍କ ମତ ରଥ ନିର୍ମାଣ ହେଲେ ଘୋଷଯାତ୍ରା ହୋଇପାରିବ ।

କାରଣ ଶ୍ରୀଗୁଣ୍ଡିଚାକୁ ଆହୁରି ମାସେ ୨୦ ଦିନ ବାକି ରହିଛି । ଏହା ମଧ୍ୟରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି । ଏଭଳି ସମୟରେ ପରମ୍ପରାକୁ କାମଚଳା ନ କରି କିଭଳି ସୁରକ୍ଷିତ ଭାବରେ ଘୋଷଯାତ୍ରା ହୋଇପାରିବ ସେ ନେଇ ପ୍ରଶାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ରତ୍ନବେଦୀରୁ ଓହ୍ଳ।ଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି । କିନ୍ତୁ କରୋନା କାୟାରେ ଚଳିତ ଥର ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିଯିବ କି? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । କିନ୍ତୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ’ଣ ହେଉଛି ତା ଉପରେ ସମସ୍ତଙ୍କ ନଜର ।

Latest Posts

Don't Miss